ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ହେବ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର

ବ୍ରହ୍ମପୁର: ରାଜ୍ୟ ତଥା ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁରରେ ମିଳିବ ଅଧିକ ଓ ଉନ୍ନତ ସ୍ବାସ୍ଥ୍ୟ ସେବା। ସ୍ଥାନୀୟ ବାସିନ୍ଦାଙ୍କ ସମେତ ଏଠାକୁ ଆସୁଥିବା ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକଙ୍କୁ ମିଳିବ ବର୍ତ୍ତମାନ ଅପେକ୍ଷା ଅଧିକ ଉନ୍ନତ ଓ ବ୍ୟାପକ ଚିକିତ୍ସା ସୁବିଧା। ବିଶେଷ କରି ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ବ୍ୟକ୍ତିଙ୍କ ପ୍ରାଥମିକ ଜରୁରୀକାଳୀନ ଚିକିତ୍ସା ସହ ହୋଟେଲ ମାନଙ୍କରେ ରହୁଥିବା ବିଭିନ୍ନ ବୟସ ବର୍ଗର ପର୍ଯ୍ୟଟକଙ୍କୁ ହାତ ପାଆନ୍ତାରେ ମିଳିବ ବ୍ୟାପକ ଉନ୍ନତ ସ୍ୱାସ୍ଥ୍ୟ ସେବା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ଓ ଆଶାକୁ ହୃଦୟଙ୍ଗମ କରି ଗୋପାଳପୁର ଡାକ୍ତରଖାନା ଯାହା ଏବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି ତାହାକୁ ଆସନ୍ତା ଅକ୍ଟୋବର ସୁଦ୍ଧା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି। ଆମ ହସପିଟାଲ୍ ଯୋଜନାରେ ଅନ୍ତର୍ଭୁକ୍ତ କରି ଏହାର ବିକାଶ କରାଯିବ। ବର୍ତ୍ତମାନ ପ୍ରାଥମିକ ଓ କିଛି ଜରୁରୀକାଳୀନ ଚିକିତ୍ସା ବ୍ୟତୀତ ବଡ଼ ଧରଣର ସ୍ବାସ୍ଥ୍ୟ ସେବା ପାଇଁ ସ୍ଥାନୀୟ ବାସିନ୍ଦା ହୁଅନ୍ତୁ କି ପର୍ଯ୍ୟଟକ, ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଯିବାକୁ ପଡୁଛି। ଆଗକୁ ଏହି ସମସ୍ୟାର ସମାଧାନ ଉପଲବ୍ଧ ହେବ।

ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲl। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶ ଏ ଦିଗରେ ପ୍ରୟାସ କରିଥିଲେ। ଆଜି ଗୋପାଳପୁର ବାସିନ୍ଦାଙ୍କ ପାଇଁ ଏହି ଖୁସି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇ ଥିଲା। ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିଜେଡି ପକ୍ଷରୁ ଏକ ସଭା ଆୟୋଜନ କରାଯିବା ସହ ମିଷ୍ଟାନ୍ନ ବଣ୍ଟା ଯାଇଥିଲା। ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ଉପାଧ୍ୟକ୍ଷା ବି.ଉମା, କାଉନସିଲରଗଣ, ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ। ଗୋପାଳପୁର ବାସିନ୍ଦାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ. ପlଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.