ପରୀକ୍ଷା ଦେଲେ ମା’, କୁନି ଛୁଆକୁ ସମ୍ଭାଳିଲେ ଡ୍ୟୁଟିରେ ଥିବା ମହିଳା କନେଷ୍ଟବଳ

ମାଲକାନଗିରି – ଅଡୁଆରେ ପଡ଼ିଥିବା ଲୋକଙ୍କୁ ଠିକ୍ ସମୟରେ ସାହାଯ୍ୟ କରିବା ହିଁ ମାନବିକତା । ମାଲକାନଗିରି ଜିଲ୍ଲାର ଜଣେ ମହିଳା ପୋଲିସ କର୍ମଚାରୀ ନିଜର ଡ୍ୟୁଟି ବେଳେ ମାନବିକତାର ପରିଚୟ ଦେଇ ଉଦାହରଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେବାକୁ ଯାଇଥିଲେ ଜଣେ ମା’ । ସଙ୍ଗରେ ଥିଲା ନିଜର ଛୋଟ ଛୁଆ । ସ୍ତନ୍ୟପାନ କରାଇବାକୁ ପରୀକ୍ଷା କେନ୍ଦ୍ରରେ ରହିଥିଲା ବ୍ୟବସ୍ଥା । ହେଲେ ପରୀକ୍ଷା ବେଳେ ଛୋଟ ଛୁଆକୁ କେମିତି ସମ୍ଭାଳିବେ ବୋଲି ଚିନ୍ତାରେ ଥିଲେ ମା’ ଜଣକ । ଏହି ସମୟରେ ଜଣେ ମହିଳା ପୋଲିସ ମାଆର ଅଡୁଆ ସ୍ଥିତିକୁ ବୁଝିପାରିଥିଲେ । ତାଙ୍କୁ ସହାୟତାର ହାତ ବଢ଼ାଇବା ସହ ଛୁଆକୁ ନିଜ କୋଳକୁ ନେଇଥିଲେ । ପରୀକ୍ଷା ସରିବା ଯାଏ ସମ୍ଭାଳିଥିଲେ ମହିଳା ପରୀକ୍ଷାର୍ଥୀଙ୍କ ଛୁଆକୁ । ମହିଳା ପୋଲିସ କର୍ମଚାରୀଙ୍କ ଏଭଳି ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରାଯାଇଛି ।

ପୋଲିସ ପଦବୀ ପାଇଁ ମାଲକାନଗିରି ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଆସିଥିଲେ ଚଞ୍ଚଳା ମଲ୍ଲିକ । ସଙ୍ଗରେ ଥିଲା ୪ ବର୍ଷର କୁନି ଝିଅ । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବେଳକୁ ଛୁଆ କାନ୍ଦିବା ଆରମ୍ଭ କରିଥିଲା । ସ୍ତନ୍ୟପାନ କରାଇ ଛୁଆକୁ ଚୁପ୍ କରାଇଥିଲେ । ହେଲେ ପରୀକ୍ଷା କେମିତି ଦେବେ ବୋଲି ଚିନ୍ତାରେ ପଡ଼ିଯାଇଥିଲେ ଚଞ୍ଚଳା । ପରିବାର ପକ୍ଷରୁ ମଧ୍ୟ ପାଖରେ କେହି ନଥିଲେ । ଚଞ୍ଚଳାଙ୍କ ଏଭଳି ଅବସ୍ଥାକୁ ବୁଝି ପାରି ଥିଲେ ସେଠାରେ ଡ୍ୟୁଟିରେ ଥିବା ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ । ମହିଳା କନେଷ୍ଟବଳ ଜଣକ ଛୁଆକୁ ସମ୍ଭାଳିବା ପରେ ପରୀକ୍ଷା ଦେଇଥିଲେ ଚଞ୍ଚଳା । ପରୀକ୍ଷା ସରିବା ପରେ ମହିଳା କନେଷ୍ଟବଳଙ୍କୁ ପ୍ରଶଂସା କରି ଘରକୁ ଫେରିଥିଲେ ଚଞ୍ଚଳା ।

Comments are closed.