ଜମି ଜାଲିଆତି ମାମଲାରେ ୨ ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା 

ଭୁବନେଶ୍ୱର – ଜମି ଜାଲିଆତି ମାମଲାରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଭୁବନେଶ୍ୱର ମଳିପଡ଼ା, ଶଙ୍କରପୁର ଜମି ଜାଲିଆତି ମାମଲାରେ ଗିରଫ ଦୁଇ ଜଣ ହେଲେ ଅନ୍ତର୍ଯ୍ୟାମୀ ସେନାପତି ଓ ସହଯୋଗୀ ଅନନ୍ତ ଚରଣ। ଅନ୍ତର୍ଯ୍ୟାମୀ ମୋହରିର ଭାବେ କାମ କରୁଥିଲେ। ଜମି ହଡ଼ପ ପରେ ସେ ଜାଲିଆତି କରି ଏହାକୁ ନିଜ ନାଁରେ କରି ପରେ ଅନ୍ୟ ଲୋକଙ୍କୁ ବିକୁଥିଲେ।

ମଳିପଡା ଓ ଶଙ୍କରପୁର ମୌଜାରେ ୧୫୦ ଡିସିମିଲ ଜମିକୁ ୪ଟି ପ୍ଲଟ କରିବା ପରେ ସେଥିରୁ ୧୪୦ ଡିସିମିଲ ଜମିକୁ ୪ଟି ପ୍ଲଟ କରି ବିକ୍ରି କରାଯାଇଛି। ଗୋଟିଏ ଜମିର ଅସଲି ମାଲିକ ଲିପିକା ଦାସ ହୋଇଥିବା ବେଳେ, ଅନ୍ୟ ଜଣେ ମହିଳାଙ୍କୁ କାଗଜପତ୍ରରେ ଲିପିକା ବୋଲି ଦର୍ଶାଯାଇଛି। ଆଧାର ନମ୍ବରରେ ନକଲି ଲିପିକା ଫୋଟୋ ଲଗାଇ ନକଲି ସେଲ୍‌ଡିଡ୍ ହୋଇଛି। ଖଣ୍ଡଗିରି ସବ୍‌ରେଜିଷ୍ଟାର ଅଫିସ୍‌ରେ ଏହି ଜାଲିଆତିକୁ ରୂପ ଦିଆଯାଇଛି। ଲିପିକା ଏ ନେଇ ଅଭିଯୋଗ କରିବା ପରେ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ଇଓଡବ୍ଲୁ।

ଭୁବନେଶ୍ୱରରେ ଏଭଳି ୮ ଜମି ଜାଲିଆତି ମାମଲା ହୋଇଥିବା ଇଓଡବ୍ଲୁ ସୂଚନା ଦେଇଛି।

ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ଇଓଡବ୍ଲୁ। ଏହି ରାକେଟର ଅନ୍ୟ କିଛି ସଦସ୍ୟ ଏବେ ବି ଫେରାର ଥିବା ଇଓଡବ୍ଲୁ ଏସ୍‌ପି ଦିଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.