ଆଉ ଠକିପାରିବେନି ଡାକ୍ତର: ଏଣିକି ରାଜ୍ୟର ସବୁ ସରକାରୀ ହସ୍ପିଟାଲରେ ବାୟୋମେଟ୍ରିକ ବ୍ୟବସ୍ଥା

ଭୁବନେଶ୍ବର – ସରକାରୀ ହସ୍ପିଟାଲରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତ ଥିଲେ ମଧ୍ୟ ସେମାନେ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୁଏ । ଏହାକୁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱର ସହ ନେବା ସହ ସବୁ ସରକାରୀ ହସ୍ପିଟାଲରେ ବାୟୋମେଟ୍ରିକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଓ ହସପିଟାଲରେ ଏହା କାର୍ଯ୍ୟକାରୀ କରାଯିବ। ପରବର୍ତ୍ତୀ ସମୟରେ ପିଏଚସି ଓ ସିଏଚସିରେ ମଧ୍ୟ ଲାଗୁ ହେବ ବାୟୋମେଟ୍ରିକ୍ ବ୍ୟବସ୍ଥା। ଯାହା ଦ୍ବାରା ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟ କର୍ମଚାରୀ କେତେ ବେଳେ ହସ୍ପିଟାଲ ଆସୁଛନ୍ତି ଓ କେତେେବେଳ ଯାଉଛନ୍ତି ତାହା ଜଣାପଡିବ। ଏ ନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୭ ନିର୍ବାଚନ ମଣ୍ଡଳୀରେ ଖୋଲିବ ଆମ ହସ୍ପିଟାଲ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ସଦର ଚିକିତ୍ସାଳୟଗୁଡ଼ିକୁ ଏଥିଲାଗି ବଛାଯାଇଛି। ୯ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଆମ ହସ୍ପିଟାଲ। ୭୫୦ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ହେବାକୁ ଥିବା ଆମ ହସ୍ପିଟାଲରେ ରୋଗୀଙ୍କୁ ସବୁ ମୌଳିକ ସ୍ଵାସ୍ଥ୍ୟ ସେବା ମିଳିବ। ଏନେଇ ୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଯାହା ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ବହୁ ଆଗକୁ ନେବ ବୋଲି ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି।

ଅନ୍ୟପଟେ ଏଣିକି ଆଉ ୩୦ ମିନିଟ୍ ନୁହେଁ, ୨୦ ମିନିଟ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ। ଏଥିପାଇଁ ୨୦୨୩-୨୪ରେ ୨୩୬ଟି ନୂଆ ଆମ୍ବୁଲାନ୍ସ ୧୦୮ରେ ଯୋଡ଼ିହେବ। ଏଥିପାଇଁ ବଜେଟରେ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।

Comments are closed.