ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷା, ତ୍ରୁଟିଶୂନ୍ୟ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵ

ଭୁବ‌ନେଶ୍ବର – ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା । ଏହା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମାରେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ। ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ଜିଲ୍ଲାପାଳ, ଏସପି, ଜିଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ତ୍ରୁଟିଶୂନ୍ୟ ଭାବେ ପରୀକ୍ଷାକୁ ପରିଚାଳନା କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ବାରୋପ କରିଥିଲେ। ପରୀକ୍ଷା ହଲକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଭଲଭାବେ ଯାଞ୍ଚ କରି କେନ୍ଦ୍ର ମଧ୍ୟକୁ ଛାଡ଼ିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ର ନିମନ୍ତେ ଆବଶ୍ୟକୀୟ ପର୍ଯ୍ୟବେକ୍ଷକ ଓ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମୁତୟନ ଉପରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଶ୍ନପତ୍ର ଓ ଉତ୍ତରଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ କଡ଼ା ନିରାପତ୍ତା, ପରୀକ୍ଷା କେନ୍ଦ୍ରରେ ସୁରକ୍ଷା କର୍ମୀ ମୁତୟନ, ବିଦ୍ୟୁତ ଏବଂ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ପରୀକ୍ଷା ନିମନ୍ତେ କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠେଇବା ଆରମ୍ଭ ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। ପରୀକ୍ଷା ନିମନ୍ତେ ମୋଟ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଏଥିମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଏବଂ ମାଲକାନଗିରିରେ ୧୦ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ଶେଷ ହେବା ପରେ ୫୬ଟି କେନ୍ଦ୍ରରେ ଖାତା ଦେଖା ଆରମ୍ଭ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥି.ଏସ୍, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମଶିଷ ହାଜରା, ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ସୁଶାନ୍ତ ଦାଶ, ଅତିରିକ୍ତ ସଚିବ ଅଶ୍ବିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.