ମାର୍ଚ୍ଚରୁ ହିଁ ବଢୁଛି ତାତି, ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ଉପରେ

ଭୁବନେଶ୍ବର – ମାର୍ଚ୍ଚମାସରୁ ହିଁ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ଖରା ସହ ଦିନର ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ରବିବାର ରାଜ୍ୟର ୫ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା । ୩୮.୮ ଡିଗ୍ରୀ ସେଲସିୟସ ସହ ତାଳଚେର ରାଜ୍ୟର ଉତ୍ତପ୍ତ ସହର ଥିଲା। ରବିବାର ରାଜଧାନୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଅନୁଗୁଳରେ ୩୮.୧ , ଝାରସୁଗୁଡ଼ା ଓ ଭଦ୍ରକରେ ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ୧୧ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା ।

ଏବେ ରାଜ୍ୟରେ ପାଗ ଶୁଖିଲା ରହୁଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା କମ୍‌ ରହିଛି। ଏଥିଯୋଗୁଁ ରାଜ୍ୟର ତାପମାତ୍ରା ବର୍ତ୍ତମାନ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଅନ୍ୟପଟେ ୭ ତାରିଖ ଦିନ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳ ଯଥା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

Comments are closed.