ଐତିହାସିକ ବୁଢ଼ାରଜା ଜଙ୍ଗଲରେ ବୃକ୍ଷ ମାନଙ୍କ ସହିତ ହୋଲି ଖେଳ

ସମ୍ବଲପୁର : ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଆଜି ପୂର୍ବାହ୍ନରେ ଐତିହାସିକ ବୁଢ଼ାରଜା ଜଙ୍ଗଲରେ ପ୍ରତିବର୍ଷ ଭଳି ନିଆରା ଢଙ୍ଗରେ ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା ସହ ବୃକ୍ଷ ମାନଙ୍କ ସହିତ ହୋଲି ଖେଳ ଉତ୍ସବ ପାଳନ କରାଯାଇଅଛି | ବୁଢ଼ାରଜା ବନ ସଂରକ୍ଷଣ ସମିତିର ସଭାପତି ପ୍ରକୃତି ବନ୍ଧୁ ମେଘୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଆରା ହୋଲି ଉତ୍ସବରେ ସଂସ୍କୃତି ରତ୍ନ ଏବଂ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ପଣ୍ଡିତ ନାରାୟଣ ଚକ୍ରବର୍ତ୍ତୀ ଙ୍କ ପୌରୋହିତ୍ୟରେ କଳସ ସ୍ଥାପନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ଧୂପ ନୈବେଦ୍ୟ ସହ ବୈଦିକ ରୀତିରେ ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା ପରେ ବୃକ୍ଷ ମାନଙ୍କ ସହ ନିଆରା ଢ଼ଙ୍ଗରେ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା | ଜୀବନ ସାରା ଗଛପତ୍ର ବୃକ୍ଷଲତା ଉଦ୍ଭିଦ ଜଗତ ପରୋପକାର ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରୁଥିବାରୁ ଆମ୍ଭେ ମାନବ ସମାଜ ଏବଂ ସମ୍ପୂର୍ଣ୍ଣ ଜୀବ ଜଗତ ସେମାନଙ୍କ ଠାରେ ଚିର ଋଣୀ | ବୃକ୍ଷ ମାନେ ଆମର ଜୀବନ, ସେମାନଙ୍କ ବିନା ଆମେ ବଞ୍ଚିବା ଅସମ୍ଭବ | ତେଣୁ ପବିତ୍ର ହୋଲି ଉତ୍ସବରେ ପ୍ରକୃତିକୁ ଜଙ୍ଗଲକୁ ବୃକ୍ଷ ମାନଙ୍କୁ ସାମିଲ କରିବାକୁ ମହା ଭାରତୀୟ ସଂସ୍କୃତି ଆମକୁ ଶିକ୍ଷା ଦେଇଛି ବୋଲି ମୁଖ୍ୟ ଅତିଥି ଶ୍ରୀ ବହିଦାର ନିଜ ଉଦବୋଧନରେ କହିଥିଲେ | ପରିବେଶ ସ୍ୱଚ୍ଛ ରହିଲେ ଯାଇ ଆମ୍ଭେମାନେ ସମସ୍ତେ ସୁସ୍ଥ ରହି ପାରିବା ବୋଲି ବହିଦାର ଆଜ୍ଞା ନିଜ ଉଦବୋଧନରେ କହିଥିଲେ | ଏହି ଶୁଭ ଅବସରରେ ବୁଢ଼ାରଜା ଜଙ୍ଗଲରେ ସମିତି ପକ୍ଷରୁ ଫଳ ଚାରା ରୋପଣ କରା ଯାଇଥିଲା | ଏହି ନିଆରା ବୃକ୍ଷ ମାନଙ୍କ ସହିତ ହୋଲି ଖେଳ ଉତ୍ସବରେ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ମାୟାଧର ଜେନା, ସୌରୀ ନାରାୟଣ ପାଣିଗ୍ରାହୀ, ପାର୍ବତୀ ଧନୁୱାର, ଫୁଲକୀ ଜାଲ, ଲକ୍ଷ୍ମୀ ତଣ୍ଡିଆ, ରାମ ସାଗର ସାହୁ, ନବୀନ ଦାଶ, ମାନସ ସାହୁ, ଧୀରେନ୍ଦ୍ର ଧନୁ୍ୱାର ପ୍ରମୁଖ ବୁଢ଼ାରଜା ବନ ସଂରକ୍ଷଣ ସମିତିର ସଭ୍ୟସଭ୍ୟା ବହୁ ସଂଖ୍ୟାରେ ଯୋଗଦାନ କରି ପରସ୍ପରକୁ ଅବିର ଫଗୁ ଲଗାଇ ଶୁଭେଚ୍ଛା ଜଣାଇଥିଲେ | ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରା ଯାଇଥିଲା |

Comments are closed.