ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାକୁ ବାଦ ଦେଲେ ଦୋଳଯାତ୍ରା ପୁରୀମନ୍ଦିରର ଏକ ବିଶିଷ୍ଟ ପର୍ବ । ଶ୍ରୀଜଗନ୍ନାଥ ଙ୍କର ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଯେଉଁ ସବୁ ଉଲ୍ଲେଖ ରହିଛି, ତାହାରି ମଧ୍ୟରେ ଦୋଳଯାତ୍ରାର ବିଶେଷ ଗୁରୁତ୍ୱ ସ୍ୱୀକୃତ ହୋଇଛି। ଦୋଳରେଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥଉପରେ ବାମନଙ୍କୁ ଦର୍ଶନକଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଆପ୍ତବାକ୍ୟ ଓ ବିଶ୍ୱାସ ରହିଛି । ବୈଷ୍ଣବଧର୍ମର ଅନ୍ୟତମ ପ୍ରସିଦ୍ଧ ରଚନା ଶ୍ରୀଜୟଦେବ ବିରଚିତ ଶ୍ରୀଗୀତଗୋବିନ୍ଦରେ ବସନ୍ତରାସରେ ଏହା ବର୍ଣ୍ଣିତ ହୋଇଛି ।
ଜଗନ୍ନାଥଙ୍କୁ ବିଭିନ୍ନ ନାମରେ ବିଭିନ୍ନ ମାସରେ ପୂଜା କରାଯାଇଥାଏ । ସେଥି ମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ଗୋବିନ୍ଦ ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ସୁପ୍ରସିଦ୍ଧ । ତାର୍କ୍ଷ୍ୟ (ଗରୁଡ଼) ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ । ଫଗୁଦଶମୀ ତିଥିରୁ ଫଗୁଖେଳ ଓ ଦୋଳାରେ ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହେଇଥାଏ । ଦୋଳବେଦୀରେ ମଦନମୋହନ ଓ ଲକ୍ଷ୍ମୀ ବିଜେ କରିଥାନ୍ତି । ଓଡ଼ିଶାର ପ୍ରାୟ ସମସ୍ତ ଗ୍ରାମରେ ବିଶେଷକରି ବ୍ରାହ୍ମଣଶାସନ ମାନଙ୍କରେ ଏହାର ଗୁରୁତ୍ୱ ବିଶେଷ ଭାବରେ ସ୍ୱୀକୃତ ।
ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରଂପରା ରୂପେ ଏହି ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରନ୍ତି । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି । ଏହି ସଂସ୍କୃତ ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ । ସାରା ଓଡ଼ିଶାରେ ବିଷ୍ଣୁ, କୃଷ୍ଣ ମନ୍ଦିରରେ ଏହି ଚାଚେରୀ ପାଳନ କରାଯାଏ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ ।
ଅନେକଙ୍କ ମତରେ ଶ୍ରୀଚୈତନ୍ୟ (୧୪୮୬ ଖ୍ରୀ: -୧୫୩୩ ଖ୍ରୀ: )ଙ୍କ ଦୀର୍ଘ ଅବସ୍ଥାନ ଏବଂ ଶ୍ରୀଜଗନ୍ନାଥଙ୍କୁ ବୃନ୍ଦାବନ ବିହାରୀ ରୂପେ ଏକ କରିଦେବା ହିଁ ଶ୍ରୀଜଗନ୍ନାଥ ମନ୍ଦିରରେ ବୈଷ୍ଣବ ବିଚାର ଓ ଆଚାର ପ୍ରବେଶର ମୁଖ୍ୟ ସମୟ । ମାତ୍ର ଯାହା ଜଣା ଯାଉଛି, ବହୁ ଆଗରୁ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ଏକକରି ଦେଖିବାର ପ୍ରୟାସ ସାଧୁସନ୍ଥମାନେ କରିଆସିଥିଲେ । ୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ମନ୍ଦିର ବେଢା ମଧ୍ୟରେ ବଡ଼ ଦେଉଳର ଦକ୍ଷିଣପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଯାଇଥିଲା ଏବଂ ଜଗନ୍ନାଥଙ୍କର ବିଗ୍ରହକୁ ସେଠାକୁ ନିଆଯାଇ ଦୋଳଯାତ୍ରା ପାଳିତ ହେଉଥିଲା, କିନ୍ତୁ ଠାକୁରମାନେ ଦୋଳି ଖେଳିବା ବେଳେ ହଠାତ ଦୋଳିର ଗୋଟିଏ ପଟ ଛିଣ୍ଡି ପଡ଼ିବା ଫଳରେ ଜଗନ୍ନାଥଙ୍କ ବିଗ୍ରହର ଗୋଟିଏ ପଟ ହାତରେ ସାମାନ୍ୟ ଆଘାତ ଲାଗିଥିଲା । ପୁଣି ଫଗୁଖେଳ ଯୋଗୁଁ ବିଗ୍ରହଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ଥିବା ଯୋଗୁଁ ସେଇ ଦୁର୍ଘଟଣା ପରଠାରୁ ଜଗତର ନାଥଙ୍କର ପ୍ରତିନିଧି ସ୍ୱରୂପ ଅଷ୍ଟଧାତୁ ନିର୍ମିତ ଦୋଳଗୋବିନ୍ଦଙ୍କ ବିଗ୍ରହକୁ ଦୋଳମଣ୍ଡପକୁ ନେବା ବିଧି ପ୍ରଚଳନ କରାଯାଇଛି । ସେହି ପରଠାରୁ ମଣ୍ଡପର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇ ମନ୍ଦିର ବେଢାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରାଯାଇଛି।
ଓଡ଼ିଶାର ଦୋଳମଣ୍ଡପ କହିଲେ ତୋରଣାକୃତି ଏକ ଉଚ୍ଚ ସଭାମଣ୍ଡପକୁ ବୁଝାଇଥାଏ । ଓଡ଼ିଶାର ପ୍ରାଚୀନତମ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ସର୍ବୋତ୍କୃଷ୍ଟ ମୁକ୍ତେଶ୍ୱର ମନ୍ଦିରର ତୋରଣ ଦ୍ୱାରକୁ ଓଡ଼ିଶାର ସମସ୍ତ ଗ୍ରାମ ଏହି ତୋରଣ ଓ ଦୋଳମଣ୍ଡପର ଆଦି ରୂପ ଭାବରେ ସ୍ୱୀକାର କରିଛନ୍ତି ।
ଭୁବନେଶ୍ୱରରେ କେଦାରଗୌରୀ ନିକଟସ୍ଥ ସିଦ୍ଧେଶ୍ୱର, ମୁକ୍ତେଶ୍ୱର ମନ୍ଦିରପୁଞ୍ଜର ଏହି ଭବ୍ୟ ତୋରଣଟିର ପ୍ରତିରୂପ ଦୋଳମଣ୍ଡପରେ ନିର୍ମିତ ହେବାନେଇ ଅବଶ୍ୟ କୌଣସି ଧାର୍ମିକ ବିଧି ବା ନିୟମ ନାହିଁ, ମାତ୍ର ଓଡ଼ିଶା ସ୍ଥାପତ୍ୟର ଏହି ଅନନ୍ୟ ନିଦର୍ଶନକୁ ଗ୍ରାମେ ଗ୍ରାମେ ଲୋକପ୍ରିୟ କରିପାରିଥିବା ବୈଷ୍ଣବୀୟ ପରମ୍ପରାର ଦୂରଦୃଷ୍ଟି ଓ ସୌନ୍ଦର୍ଯ୍ୟାନୁଭୂତି ପ୍ରଂଶସନୀୟ ।
ଲୋକାଚାର ଅନୁଯାୟୀ ଏହି ଦୋଳପର୍ବ ଏକ ସାମ୍ୟ ମୈତ୍ରୀର ପର୍ବ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମିଶି ଏହି ପର୍ବ ପାଳନ କରିଥାନ୍ତି। ଋତୁ ଅନୁସାରେ ଅବିର ଶରୀର ରେ ଲେପନ ଦ୍ୱାରା ବହୁ ସଂକ୍ରମିତ ରୋଗ ମଧ୍ୟ ପ୍ରଶମିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନ ରେ ଉଲ୍ଲେଖ ରହିଛି। ତେବେ ଯାହାବି ହେଉ ଓଡ଼ିଆ ଜାତିର ଦେବତା ଶ୍ରୀଜଗନ୍ନାଥ ସ୍ୱୟଂ ଅବିର ବୋଳି ହୋଇ ଭକ୍ତଙ୍କ ସହ ଏକାକାର ହେବା ଏ ଜାତିର ଅନନ୍ୟ ଗୌରବ।
Comments are closed.