ମହିଳା ସଶକ୍ତିକରଣ ବିଜେଡିର ଫୋକସ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର -ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା ମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଦଳର ମୁଖ୍ୟ ଫୋକସ୍‌ । ପ୍ରିୟ ନେତା ବିଜୁ ବାବୁ କେବଳ ଓଡିଶା ନୁହେଁ, ସାରା ଭାରତରେ ନାରୀ ସଶକ୍ତିକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ। ଆଜି ଓଡିଶା ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚିତ ସଂସ୍ଥା ମାନଙ୍କରେ ମା’ ମାନଙ୍କର ସଂରକ୍ଷଣକୁ ଆମେ ୩୩ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛୁ। ପାର୍ଲିଆମେଣ୍ଟ ଓ ବିଧାନସଭାରେ ମା’ ମାନଙ୍କ ପାଇଁ ୩୩ ପ୍ରତିଶତ ଦେବା ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ,କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ପାଞ୍ଚ କେଜି କାଟିଦେଲେ ।

ସେହିପରି ଏଲପିଜି ଦର ଏବେ ଆକାଶଛୁଆଁ ହେଲାଣି ।

ଚାଉଳ କାଟିବା ଓ ଏଲପିଜି ଦର ବୃଦ୍ଧି ଯୋଗୁଁ ଆମର ମା’ ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମା’ ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି । ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସେମାନଙ୍କ ଗୁରୁତ୍ବ ବଢିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା’ ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି । ଏସଏଚଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି ।

ଆମର ମା’ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେବା ସେ ଚାହାନ୍ତି ବୋଲି ନବୀନ କହିଛନ୍ତି।

ବିଜୁ ଜନତା ଦଳ ସବୁବେଳେ ମା’ ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

Comments are closed.