ରାଜଧାନୀରେ ଗ୍ରୀଷ୍ମ ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଜନିତ ପଦକ୍ଷେପ ସଂପର୍କରେ ଭୁବନେଶ୍ୱର ମହାନଗର ନିଗମ -ବିଏମସିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ଚଳିତ ଗ୍ରୀଷ୍ମ ପ୍ରବାହ ନିମନ୍ତେ କ’ଣ ସବୁ ପ୍ରସ୍ତୁତି ହୋଇଛି ତାହା ଜାଣିବା ନିମନ୍ତେ ଅନୁଷ୍ଠିତ ଏକ ଆନ୍ତଃ ବିଭାଗୀୟ ବୈଠକରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ଅଧିକାରୀ ନେଇଥିବା ପଦକ୍ଷେପ ଏବଂ ଆବଶ୍ୟକୀୟ ସହଯୋଗ ବାବଦରେ ବୈଠକରେ ଆଲୋଚନା କରାଯାଇଥିଲା ।

ବିଏମସର ସମସ୍ତ ଅଧିକାରୀ ଏବଂ ସମସ୍ତ ସଂଯୁକ୍ତ ବିଭାଗ ନିଜ ନିଜର କାର୍ଯ୍ୟକୁ କିପରି କରୁଛନ୍ତି ତାହାର ବିବରଣୀ ଦେବାକୁ କୁହାଯାଇଛି । ସ୍ଵାସ୍ଥ୍ୟ ସେବାକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ସଂପୃକ୍ତ ଅତିରିକ୍ତ ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ମୁଖ୍ୟ ମ୍ୟୁନିସିପାଲ ସ୍ବାସ୍ଥ୍ୟ ଅଧିକାରୀ ଗ୍ରୀଷ୍ମ ପ୍ରବାହ ସମୟରେ ଡ଼ାକ୍ତରଖାନାରେ ଶୀତତାପ ନିୟନ୍ତ୍ରିତ କକ୍ଷ , ଓଆରଏସ୍ ,ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ସହ ସବୁ ସମୟରେ ଡ଼ାକ୍ତର ଓ ନର୍ସଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବାକୁ କୁହାଯାଇଛି ।

ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସକାଳ ୮ଟାରୁ ଦିନ ୧୧ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲା ରହୁଛି । ହେଲେ ଗ୍ରୀଷ୍ମ ପ୍ରବାହ ଜନିତ ସେବା ପ୍ରଦାନ ପାଇଁ ଦିନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ପାଳି କରି ଡ଼ାକ୍ତର ଏବଂ ନର୍ସଙ୍କୁ ଦାୟିତ୍ବ ଦେବା ପାଇଁ କୁହାଯାଇଛି । ଜୋନ୍ ଅଧିକାରୀମାନେ ଏହାକୁ ଦେଖି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହ ଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡ଼ାକ୍ତରଙ୍କ ସହାୟତା ମିଳିବାକୁ ନିଶ୍ଚିତ କରାଇବା ଏବଂ କୌଣସି ବ୍ୟକ୍ତି ଯେପରି ମୃତାହତ ନହୁଅନ୍ତି ସେଥିପ୍ରତି ଗୁରୁତ୍ବାରୋପ କରାଯାଇଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଅନ୍ୟୁନ ୧୦ ପ୍ୟାକେଟ୍ ଲେଖାଏଁ ଓଆରଏସ୍ ରଖିବା, ଶିଶୁମାନେ ଆସିବା ସମୟରେ ଏବଂ ଫେରିବା ପୂର୍ବରୁ ସେମାନଙ୍କୁ ପାଣି ପିଆଇବା ଉପରେ ଗୁରୁତ୍ବ ଦିଆଯାଇଛି ।

ସଂପୃକ୍ତ ସିଡିପିଓ ଓଆରଏସ୍‌ର ଆବଶ୍ୟକତା ପାଇଁ ଚିଠି ଦେବାକୁ କୁହଯାଇଛି । ବ୍ଲକ୍ ଶିକ୍ଷାଧିକାରୀ ମାନେ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ପ୍ରବାହର ପ୍ରତିଷେଧକ ବ୍ୟବସ୍ଥା ବାବଦରେ ଶିକ୍ଷା ଦେବାକୁ କୁହାଯାଇଛି । ଶ୍ରମିକମାନେ କାର୍ଯ୍ୟ କରୁଥିବା ବା କାର୍ଯ୍ୟ ପାଇଁ ଅପେକ୍ଷା କରିଥିବା ସ୍ଥାନ ଯଥା ନାବାର୍ଡ ଏବଂ କଳ୍ପନା ଛକ ନିକଟରେ ସ୍ଵତନ୍ତ୍ର ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜଳଛତ୍ର ଖୋଲାଯାଉଥିବା ସମୟରେ ସେବାପ୍ରଦାନକାରୀ ମାନେ ନିଶ୍ଚିତ ଭାବରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଶ୍ଚିତ ସେବା ପ୍ରଦାନ ସହ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ହେବା ନେଇ ଜେଡିସିମାନଙ୍କୁ ଦାୟିତ୍ବ ଦିଆଯାଇଛି । ଯଦି ବାହାରେ କେହି ଭିକ୍ଷୁକ ବା ବାସହୀନ ବୁଲିବାର ଦେଖାଯାଆନ୍ତି ତେବେ ସେମାନଙ୍କୁ ସଂପୃକ୍ତ ଆଶ୍ରୟସ୍ଥଳୀକୁ ନେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ନିର୍ମାଣ , ଘରୋଇ ଏବଂ ସରକାରୀ ସଂସ୍ଥାର ଠିକାଦାରମାନେ ନିୟୋଜିତ କରିଥିବା ଶ୍ରମିକମାନଙ୍କ ବିଶ୍ରାମ ପାଇଁ ଅସ୍ଥାୟୀ ଶିବିର ପ୍ରସ୍ତୁତ କରିବାକୁ କୁହାଯାଇଛି । କୌଣସି କାର୍ଯ୍ୟ ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷ ଯେପରି ଖରାରେ ଠିଆ ନହୁଅନ୍ତି ତାହାର ବନ୍ଦୋବସ୍ତ କରିବା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳରେ ସ୍ବତନ୍ତ୍ର ଜଳସେବାକ ଶିବିର ବା ୱାଟକୋର ଜଳ ବଣ୍ଟନ ସୁବିଧା କରାଇ ଏହାକୁ ନାଗରିକମାନଙ୍କୁ ଅବଗତ କରିବା ପାଇଁ କୁହାଯାଇଛି । ବିଶେଷ କରି ସଫେଇ କାର୍ଯ୍ୟକୁ ପାଖାପାଖୁ ସକାଳ ୭ଟା ମଧ୍ୟରେ ସାରିବା ସହ ଖରାର ପ୍ରକୋପ ନକମିବା ଯାଏଁ ଅପରାହ୍ନରେ ସଫେଇ ଆରମ୍ଭ ନ କରିବା ପାଇଁ କୁହାଯାଇଛି । . . ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଗଛଗୁଡ଼ିକୁ ନିୟମିତ ପାଣି ଦେବାକୁ କୁହାଯାଇଛି । ଏହି ଦିନଗୁଡ଼ିକରେ ବାସି ଖାଦ୍ୟ ବିକ୍ରିର ଭୟ ରହୁଥିବାରୁ ଫୁଡ ଇନସପେକ୍ଟରମାନେ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରିବେ । ଅଳିଆ ଆବର୍ଜନା ଜଳାଇଲେ ୧୦ ହଜାର ଟଙ୍କା ଯାଏଁ ଜୋରିମାନା ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ( ବର୍ଷର ସବୁ ସମୟରେ ଏହି ନିୟମ ଲାଗୁ ହେବ ) ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଟ୍‌କୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ଦଣ୍ଡବିଧାନକୁ କଡାକଡି କରାଯାଇଛି । ମୋ ବସ୍ ଗୁଡିକରେ ଫାଷ୍ଟ୍ ଏଡ୍ ସରଂଜାମକୁ ନିଶ୍ଚିତ କରାଯିବ । ସମସ୍ତ କାର୍ଯ୍ୟାଳୟରେ ଗ୍ରୀଷ୍ମ ପ୍ରବାହ ସାବଧାନତା ବାବଦରେ ଜଣାଇବାକୁ ଏବଂ ଏହାର ପ୍ରଚାର କରାଇ ଜନ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି ।

Comments are closed.