ରାଜ୍ୟରେ ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର – ଆଜି ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣଭାର ନେଇ ଉତ୍ତର ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ‘ ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।

ତେବେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ରାଜ୍ୟରେ ‘୫-ଟି’ ଉପକ୍ରମର ଅନୁପାଳନ ଯୋଗୁଁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ରାଜ୍ୟ ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ରାଜ୍ୟଠୁ କେନ୍ଦ୍ରର ଋଣଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ଋଣଭାର ରହିଛି । ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Comments are closed.