ଚାଷୀଙ୍କଠାରୁ ଲାଞ୍ଚ ନେବାବେଳେ ସମବାୟ ସମିତି ସମ୍ପାଦକଙ୍କୁ ଧରିଲା ଭିଜିଲାନ୍ସ 

ଭଦ୍ରକ – ଲାଞ୍ଚ ମାମଲାରେ ଭିଜିଲାନ୍ସ ଭଦ୍ରକ ଜିଲ୍ଲା ଚଣ୍ଡିଗାଁ ସମବାୟ ସମିତି ସମ୍ପାଦକ ତପନ କୁମାର ନାୟକଙ୍କୁ ଗିରଫ କରିଛି ।

ଧାନ କିଣିବା ପାଇଁ ଚାଷୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ସମବାୟ ସମ୍ପାଦକ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଚଣ୍ଡୀଗାଁର ଚାଷୀ ଶ୍ରୀଧର ସାମଲ ୨୪୦ କ୍ଲିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ଆଇ ସ୍କାନ ପାଇଁ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ସମ୍ପାଦକ ତପନ ନାୟକଙ୍କୁ ଭେଟିଥିଲେ। ସମ୍ପାଦକ ଶ୍ରୀଧରଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଶ୍ରୀଧର ରାଜି ନହୋଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା । ଭିଜିଲାନ୍ସ ଯୋଜନା ମୁତାବକ ଶ୍ରୀଧର ସୋମବାର ସନ୍ଧ୍ୟାରେ ସମବାୟ ସମିତି ସମ୍ପାଦକଙ୍କୁ ତାଙ୍କ ଘର ଆଗରେ ଭେଟିଥିଲେ। ପରେ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ସେଠାରେ ଉପସ୍ଥିତ ଥିବା ୭ ଜଣିଆ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ନାୟକଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ତାଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।

Comments are closed.