ମା’ ତାରାତାରିଣୀଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ଛତ୍ରପୁର: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ, ଗଞ୍ଜାମ ଜିଲ୍ଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ପ୍ରଥମ ପାଳିରେ ଭୋରରୁ ହିଁ ଭକ୍ତଙ୍କ ବେଶ୍ ସମାବେଶ ଦେଖିବାକୁ ମିଳିଛି। ହଜାର ହଜାର ଭକ୍ତ ଧାଡ଼ି ଲଗାଇ ଦେବୀଙ୍କ ଦର୍ଶନ କରୁଛନ୍ତି। ଦେବୀଙ୍କ ବହୁ ପ୍ରତିକ୍ଷୀତ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରାର ଚାରି ପାଳି ମଧ୍ୟରୁ ପ୍ରଥମ ପାଳିରେ ଭୋରରୁ ମା’ଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା। ପାରମ୍ପରିକ ପୂଜାର୍ଚ୍ଚନା ପରେ ସକାଳ ୫.୨୦ରେ ମଙ୍ଗଳ ଆଳତି ସାଙ୍ଗକୁ ସାହାଣମେଲା ହୋଇଥିଲା। ଏହା ପରେ ଶ୍ରଦ୍ଧାଳୁମାନେ ଦେବୀ ଦର୍ଶନ ଆରମ୍ଭ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ଜଗମୋହନ ମୀନା ମଧ୍ୟ ମା’ଙ୍କ ଦର୍ଶନ ଓ ପୂଜା କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଯାତ୍ରା ଦୃଷ୍ଟିରୁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି। ଦେବୀଙ୍କୁ ବିଧିବଦ୍ଧ ଭୋଗ ଅର୍ପଣ କରାଯାଇଛି।

ଗତକାଲି ରାତିରୁ ପୀଠ ଆଖପାଖ ତଥା ମନ୍ଦିର ଥିବା ପାହାଡ଼ ପାଦଦେଶରେ ଭକ୍ତମାନଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ଲୋକେ ମୋର ସମୟକୁ ଅପେକ୍ଷା କରି ରହିଥିଲେ। ଭୋରରୁ ନିଜ ନିଜ ଛୁଆଙ୍କ ମୁଣ୍ଡନ କରିବା ସହ ସ୍ନାନ କରାଇ ନୂଆ କପଡ଼ା ପିନ୍ଧାଇ ଦେବୀ ଦର୍ଶନ କରାଇଥିଲେ। ଭକ୍ତଙ୍କ ବିଶ୍ବାସ ରହିଛି ଯେ ମାନସିକ ମୁଣ୍ଡନ ସ୍ବରୂପ ମା’ ତାରାତାରିଣୀଙ୍କ ଠାରେ ଛୁଆଙ୍କ ପ୍ରଥମ କରି ବାଳ କାଟି ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କଲେ ପିଲାଙ୍କ ମଙ୍ଗଳ ହୋଇଥାଏ। ଏଣୁ କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ବରଂ ସାରା ରାଜ୍ୟ ଏପରିକି ରାଜ୍ୟ ବାହାରର ଲୋକେ ମଧ୍ୟ ଚୈତ୍ର ମଙ୍ଗଳବାର ପାଳିରେ ଏହି ପୀଠକୁ ଆସି ମୁଣ୍ଡନ ଓ ଦର୍ଶନ କରିଥାନ୍ତି।

ହଜାର ହଜାର ଭକ୍ତଙ୍କ ସମାଗମକୁ ନଜରରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ଓ ମନ୍ଦିର ପରିଚାଳନା କମିଟି ଦ୍ବାରା ଯାବତୀୟ ବ୍ୟବସ୍ଥା କରାଯାଇଛି। ବ୍ୟାପକ ଭାବେ ପାନୀୟ ଜଳ ଯୋଗାଣ, ପାହାଡ଼ ତଳଭାଗରୁ ମନ୍ଦିର ପର୍ଯ୍ୟନ୍ତ ସ୍ବତନ୍ତ୍ର ବସ୍ ଚଳାଚଳ, ରୋପ୍ଓ୍ବେ, ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଚୋରି ଓ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସାଦା ପୋଷାକରେ ପୋଲିସ କର୍ମଚାରୀ ମୁତୟନ ରହିଛନ୍ତି। ପିଲାଙ୍କ ମୁଣ୍ଡନ ପରେ ସଫେଇ ଓ ପରିମଳ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚୈତ୍ର ମଙ୍ଗଳବାର ଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଭକ୍ତଙ୍କ ସୂଚାରୁ ରୂପେ ଦେବୀ ଦର୍ଶନ ପାଇଁ ପ୍ରଶାସନ ସହ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଭକ୍ତମାନେ ଦେବୀ ଦର୍ଶନ ଓ ପୂଜା କରି ଆଧ୍ୟାତ୍ମିକ ଆନନ୍ଦ ଓ ଆତ୍ମତୃପ୍ତି ଲାଭ କରୁଛନ୍ତି।

Comments are closed.