ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଭେଟିଲେ ବରଗଡ ରେଳ ଉପଭୋକ୍ତା ସଂଘର କର୍ମକର୍ତ୍ତା

ବରଗଡ଼ :ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ସାଧୁ ନେପାକଙ୍କ ସହଯୋଗରେ ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ମନୋଜ ଶର୍ମାଙ୍କ ସହ ଭୁବନେଶ୍ୱରର ତାଙ୍କ କାର୍ଯ୍ୟଳୟରେ ସାକ୍ଷାତ କରି ବିଭିନ୍ନ ରେଳ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ଏଥିରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ପରିବର୍ଦ୍ଧନ କରାଯିବା। ବରଗଡ ଓ ବଲାଙ୍ଗିର ଜିଲ୍ଲାର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦୀର୍ଘଦିନର ଏହି ଦାବିକୁ ଯଥାଶୀଘ୍ର ପୂରଣ କରିବାକୁ ଶ୍ରୀ ଶର୍ମାଙ୍କୁ ଦାବି କରାଯାଇଥିଲା।

ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଦାବିପତ୍ର ସହ ବରଗଡ ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ଭଟଲି ବିଧାୟକ ସୁଶାନ୍ତ ସିଂହ ଓ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉକ୍ତ ଦାବି ପ୍ରତି ସମର୍ଥନପତ୍ର ସଂଲଗ୍ନ କରାଯାଇଥିଲା।

ଶ୍ରୀ ଶର୍ମା ଧୈର୍ଯ୍ୟର ସହ ପ୍ରତିନିଧିଦଳର କଥା ଶୁଣିବା ସହ ଏହି ଦାବି ଯଥାଶୀଘ୍ର ପୂରଣ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ।
ଆଲୋଚନାରେ ବରଗଡ ଓ ବଲାଙ୍ଗିରର ଜନସାଧାରଣଙ୍କୁ ଦିଲ୍ଲୀ ଯିବା ପାଇଁ କୌଣସି ସିଧାସଳଖ ଟ୍ରେନର ସୁବିଧା ନ ଥିବାରୁ ତ୍ରି-ସାପ୍ତାହିକ ବିଶାଖାପାଟଣା-ଅମୃତସର ‘ହୀରାକୁଦ’ ଏକ୍ସପ୍ରେସକୁ ରାୟଗଡା, ଟିଟିଲାଗଡ ଓ ସମ୍ବଲପୁର ଦେଇ ଚଳାଇବାକୁ ତଥା ଏହି ଅଞ୍ଚଳରୁ ପ୍ରୟାଗରାଜ ପାଇଁ ଟ୍ରେନର ବ୍ୟବସ୍ଥା କରିବାକୁ ଶ୍ରୀ ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଆଜିର ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସର୍ଦ୍ଦାର ପ୍ରିତମ ସିଂହ, ସମ୍ପାଦକ କମଳ ଯୋଷୀ ଓ କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ତଥା ଯୁବନେତା ସଂଗ୍ରାମ ନେପାକ ଉପସ୍ଥିତ ଥିଲେ।

Comments are closed.