୫ ବର୍ଷରେ ରାଜ୍ୟରେ ୪୧୬ ହାତୀଙ୍କ ମୃତ୍ୟୁ, ହାତୀ ଉପଦ୍ରବରେ ମରିଛନ୍ତି ୬୬୯ ଲୋକ

ଭୁବନେଶ୍ୱର – ରାଜ୍ୟରେ ଗତ ୫ ବର୍ଷରେ ୨୭୭୬ ଗୋଟି ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ୨୦୧୭ରୁ ୨୦୨୨ ମଧ୍ୟରେ ୪୧୬ଟି ହାତୀଙ୍କ ବି ମୃତ୍ୟ ହୋଇଛି । ବିଧାନସଭାରେ ବିଧାୟକ ଚକ୍ରପାଣି କହଁରଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ଗତ ୫ ବର୍ଷରେ କେତୋଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି ବୋଲି ବିଧାୟକ ଜାଣିବାକୁ ଚାହିଁଥିଲେ। ଏଥିସହ ୫ ବର୍ଷରେ କେତେ ହାତୀ ମରିଛନ୍ତି ଓ ହାତୀ ଉପଦ୍ରବରୁ କେତେ ମଣିଷ ମରିଛନ୍ତି ଓ କେତେ ଘର ଭାଙ୍ଗିଛି ସେ ବାବଦରେ ପ୍ରଶ୍ନ ପଚାରିଥିଲେ ବିଧାୟକ ଚକ୍ରମଣି କହଁର ।

ଗୃହରେ ଉତ୍ତର ରଖି ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ୨୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି । ଯେଉଁମାନେ ବନ୍ୟଜନ୍ତୁଙ୍କୁ ମାରି ଧରାପଡିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ୫ ବର୍ଷରେ ୪୧୬ଟି ହାତୀ ମରିଥିବା ବେଳେ ହାତୀ ଉପଦ୍ରବରୁ ୬୬୯ ମଣିଷ ପ୍ରାଣ ହରାଇଛନ୍ତି । ହାତୀଙ୍କ ଉପଦ୍ରବରୁ ୯୧୫୯ଟି ଘର ଭାଙ୍ଗିଛି । ଏହି ସମୟ ମଧ୍ୟରେ ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ବାବଦକୁ ୧୦୦ କୋଟି ୯୩ ଲକ୍ଷ ୧୧ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଏବେ ରାଜ୍ୟରେ ୧୯ଟି ଅଭୟାରଣ୍ୟ ଓ ଗୋଟିଏ ଜାତୀୟ ଉଦ୍ୟାନ ରହିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଥିଲେ ।

Comments are closed.