ପୁଣି କରୋନା ଟେନସନ୍, ଦିନକରେ କୋଭିଡ୍ କେସ୍ ୧୧୦୦ ପାର୍

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲା କରୋନା । ଦେଶରେ ‌ଗତ କିଛି ଦିନ ଧରି‌ କୋଭିଡ୍ ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୩୪ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୮,୧୧୮କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭,୦୨୬ରେ ପହଞ୍ଚିଛି ।

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ ଛତିଶଗଡ, ଦିଲ୍ଲୀ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ କୋଭିଡ୍ ଯୋଗୁଁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେଶରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୮୧୩କୁ ବୃଦ୍ଧି ପାଇଛି।

ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ଦୈନିକ ସଂକ୍ରମଣ ହାର ୧.୦୯ ପ୍ରତିଶତ ଏବଂ ସାପ୍ତାହିକ ହାର ୦.୯୮ ପ୍ରତିଶତ ରହିଛି। ବର୍ତ୍ତମାନ ଦେଶରେ ୭,୦୨୬ ସକ୍ରିୟ କୋଭିଡ୍ ରୋଗୀ ଅଛନ୍ତି, ଯାହା ମୋଟ ମାମଲାର ୦.୦୨ ପ୍ରତିଶତ । ଜାତୀୟ ସୁସ୍ଥତା ହାର ହେଉଛି ୯୮.୭୯ ପ୍ରତିଶତ । କୋଭିଡରୁ ଏପର୍ଯ୍ୟନ୍ତ ମୋଟ ୪,୪୧,୬୦,୨୭୯ ଲୋକ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ‌ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଭାରତରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୨୦.୬୫ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.