୨୬ରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟିଦେବେ

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ ତାରିଖ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁର ଠାରେ ୩ଟି ସମାବେଶରେ ଯୋଗ ଦେବେ। ପ୍ରାୟ ୧୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥର ବହୁ ଜନକଲ୍ୟାଣକାରୀ ପ୍ରକଳ୍ପ ସମୂହର ଲୋକାର୍ପଣ ବା ଶିଳାନ୍ୟାସ କରିବେ। ମିଶନ୍ ଶକ୍ତି ଏସଏଚଜି ସଭ୍ୟାମାନଙ୍କୁ ସମ୍ବର୍ଦ୍ଧନା ସାଙ୍ଗକୁ ସେମାନଙ୍କୁ ଆର୍ଥିକ ସହାୟତା ବାବଦ ଚେକ୍ ବିତରଣ ଏବଂ ଗ୍ରାମ କଣ୍ଠ ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ସମବେତ ଜନସାଧାରଣ, ବିଜେଡି ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେବେ।

ରବିବାର ପୂର୍ବାହ୍ନ ୧୧ଟାରେ କବିସୂର୍ଯ୍ୟନଗର ତହସିଲ ଅଫିସ୍ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ। ସେଠାରେ ଆୟୋଜିତ ସମାବେଶରେ ଯୋଗଦେଇ ହେଲିକପ୍ଟର ଯୋଗେ ହିଞ୍ଜିଳିକୁ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟାରେ ହିଞ୍ଜିଳି ନିକଟ ସମରଝୋଳ ଠାରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସାଧାରଣ ସଭାରେ ଉଦବୋଧନ ଦେବେ। ସେଠାରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍ ପାଇଁ ଶତାଧିକ ପ୍ରକଳ୍ପ ଉଦଘାଟନ ବା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ ଅପରାହ୍ନ ୩.୧୫ରେ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସଭାରେ ଯୋଗ ଦେଇ ଭୁବନେଶ୍ୱର ଫେରିଯିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ମେ ୧୮ ତାରିଖରେ ତାରାତାରିଣୀଙ୍କ ପୀଠର ନବକଳେବର ଲୋକାର୍ପଣ କରିବା ପାଇଁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଗସ୍ତ କରିଥିଲେ। ସେପଟେ ୨୦୨୧ ଡିସେମ୍ବର ମାସ ପରେ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀକୁ ଏହା ହେବ ପ୍ରଥମ ଗସ୍ତ। ଏହି ଗସ୍ତକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଜଗମୋହନ ମୀନା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବିଏମସି କମିଶନର୍ ଜେ.ସୋନାଲ୍ ପ୍ରମୁଖ ଉପରୋକ୍ତ ସ୍ଥାନ ସବୁ ବୁଲି ତଦାରଖ କରିଛନ୍ତି।

Comments are closed.