ଦେବୀ ନଦୀରେ ଗାଧୋଉଥିବା ବେଳେ ତିନି ଛାତ୍ର ନିଖୋଜ

ଜଗତସିଂହପୁର – ଜଗତସିଂହପୁର ମାଛଗାଁ ଦେବୀ ନଦୀରେ ଅଘଟଣ । ନଦୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୩ଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କର ଖୋଜଖବର ମିଳିନାହିଁ। ନିଖୋଜ ଛାତ୍ରମାନଙ୍କ ମଧ୍ୟରୁ ଜଣଙ୍କ ଘର ଆମ୍ବଶାଳ ବାଲିକୁଦାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣଙ୍କ ଘର ଭୁବନେଶ୍ୱରର ବୋଲି ଜଣାଯାଇଛି। ନିଖୋଜ ଛାତ୍ରମାନେ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିଲେ।

ମିଳିଥିବା ସୂଚନା ଅନୁସାରେ ଆମ୍ବଶାଳ ବାଲିକୁଦା ଅଞ୍ଚଳର ଜଣେ ଛାତ୍ରଙ୍କ ଘରକୁ ଭୁବନେଶ୍ୱର ଅଞ୍ଚଳର ୩ଜଣ ଛାତ୍ର ବୁଲିବାକୁ ଆସିଥିଲେ। ଆଜି ସକାଳେ ୪ଜଣ ଛାତ୍ର ଦେବୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଅସାବଧାନତା କାରଣରୁ ୪ଜଣ ଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ୩ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ଉଦ୍ଧାର ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରାଯାଉଛି। ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ଓଡ୍ରାଫ ଟିମ୍‌ ଆସୁଥିବା ଜଣାଯାଇଛି।

Comments are closed.