ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା , ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ବର – ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବଢୁଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲା ସରକାରୀ ହସ୍‌ପିଟାଲର ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକଙ୍କୁ ଚିଠି ଲେଖି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକର ଏସ୍‌ସିବି, ବ୍ରହ୍ମପୁରର ଏମ୍‌କେସିଜି, ବୁର୍ଲାର ଭିମ୍‌ସାର ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ୨୦ଟି ଲେଖାଏଁ ବେଡ୍‌ ଓ ୨ଟି ଆଇସିୟୁ ବେଡ ପ୍ରସ୍ତୁତ ରଖାଯିବ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ମେଡିକାଲ କଲେଜରେ ୧୦ଟି ବେଡ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ସଂକ୍ରମିତଙ୍କ ଲାଗି ୬ଟି ବେଡ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ଓ କନସେନ୍‌ଟ୍ରେଟର ପ୍ରସ୍ତୁତ ରଖିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସବୁ ମେଡିକାଲ କଲେଜ ହସ୍ପିଟାଲ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ପାଇଁ କୁହାଯାଇଛି । ଏଥିସହ ପୂର୍ବଭଳି ଫିଭର କ୍ଲିନିକ୍ ଚାଲୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.