ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ

ସମ୍ବଲପୁର : ସ୍ଥାନୀୟ ଜେଲଛକ ନିକଟସ୍ଥ ସମ୍ବଲପୁର କଳାକେନ୍ଦ୍ର ସଭାକକ୍ଷଠାରେ ପୁରାତନ ନାଟ୍ୟସଂସ୍ଥା ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ଡ.ଶିବନାରାୟଣ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରସାର ଭାରତୀର ପ୍ରାକ୍ତନ ଉପମହାନିର୍ଦ୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ ନାଟକ ଭଲ ମଣିଷ ହେବାର ଶିକ୍ଷା ଦେଇଥାଏ। ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନାଟକ ହିଁ କରି ଚାଲିଥାଏ। ବାପା,ମା,ଭାଇ,ଭଉଣୀ ଭଳି ସାମାଜିକ ଚରିତ୍ର ଗୁଡିକ ଅପେକ୍ଷା ମଣିଷର ଅଭିନୟ ସେତେବେଳେ ବେଶୀ ପ୍ରାୟୋଗିକ ହୋଇଯାଏ ଯେତେବେଳେ ସେ ଅନ୍ୟ ବ୍ୟକ୍ତି ସହ କଥୋପକଥନ କାଳରେ ଅଧିକ ସଂଯମତା ଅଥବା ଅନ୍ୟକୁ ଠକିବା ସମୟରେ ସାବଧାନତା ଅବଲମ୍ବନ କରେ। ଆମେ ଖାଲି ମୁଖା ଉପରେ ମୁଖା ପିନ୍ଧି ଚାଲିଛୁଁ। ପ୍ରତ୍ୟେକ ମୁଖା ତଳେ ଆମର ଗୋଟିଏ ଗୋଟିଏ ଚରିତ୍ର ଛପି ରହିଛି ବୋଲି ବ୍ୟକ୍ତ କରିବା ସହ ଆଜିର ସମୟରେ ଛୋଟ ଛୋଟ ଗୋଷ୍ଠୀରେ ସ୍ୱଳ୍ପ ଖର୍ଚ୍ଚରେ ମଧ୍ୟ ନାଟକମାନ ପରିବେଷଣ କରାଯାଇ ପାରିବ ବୋଲି ସେ ବିଭିନ୍ନ ଉପାୟମାନ ଆଲୋଚନା କରିଥିଲେ।

ସଭାରେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସଭା ସଂଯୋଜନା କରିଥିଲେ। ସଦସ୍ୟ ବିରୁପାକ୍ଷ ପ୍ରଧାନ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ।ସୁକାନ୍ତ କରଙ୍କ ଦ୍ୱାରା ଅନୁଦିତଇଜିପ୍ଟର ପ୍ରସିଦ୍ଧ ଅଭିନେତ୍ରୀ ସମିହା ଆୟୁବଙ୍କ ଲିଖିତ ଚଳିତ ବର୍ଷର ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତାକୁ ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀ ପାଠ କରିଥିଲେ। ଏହି ଅବସରରେ ବିଶିଷ୍ଟ ନାଟ୍ୟ ଅଭିନେତ୍ରୀ ନାଟ୍ୟଶ୍ରୀ ପୁଷ୍ପାଞ୍ଜଳି ବେହେରାଙ୍କୁ ଚଳିତ ବର୍ଷର ନାଟ୍ୟକଳା ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନର ପ୍ରତ୍ୟୁତ୍ତରରେ ସୁଶ୍ରୀ ବେହେରା କଳାର ବିକାଶ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ବୋଲି କହିଥିଲେ। ସଭ୍ୟ ଡ. ସତ୍ୟ ନାରାୟଣ ଠାକୁର ମାନପତ୍ର ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କବୟିତ୍ରୀ ବିଚିତ୍ରା ବାଗ ସଭାରେ ନାଟକ ଉପରେ ଏକ କବିତା ପାଠ କରିଥିଲେ। ସଭା ସମାପନ ପରେ କଳାକେନ୍ଦ୍ରର କୁନିକୁନି ଛାତ୍ରୀମାନେ ସାଂସ୍କୃତିକ୍‌ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ,ଦିଲୀପ କୁମାର ପୃଷ୍ଟି,ସୁଶାନ୍ତ କୁମାର ସାହୁ,ଶିରୀଷ ଚନ୍ଦ୍ର ପୂଜାରୀ,ସୁବାଷ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

Comments are closed.