କିରୋସିନି ନିଆଁରେ ପୋଡ଼ି ଗୁରୁତର ବୃଦ୍ଧଙ୍କ ମୃତ୍ୟୁ, ସ୍ତ୍ରୀ ଜାଳି ଦେଇଥିଲେ

ଭଞ୍ଜନଗର: ମଙ୍ଗଳବାର ସ୍ତ୍ରୀ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା ବେଳେ ପୋଡ଼ି ଗୁରୁତର ହୋଇଥିବା ଭଞ୍ଜନଗର ଥାନା କୁଲାଡ଼ ଗ୍ରାମର ପ୍ରଫୁଲ୍ଲ କୁମାର ସାବତ କଟକ ଏସସିବି ମେଡିକାଲ କଲେଜ ହସପିଟାଲରେ ବୁଧବାର ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ମୃତ ପ୍ରଫୁଲ୍ଲଙ୍କ ଅଭିଯୁକ୍ତ ପତ୍ନୀ ପ୍ରମିତାଙ୍କୁ ଭଞ୍ଜନଗର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ପ୍ରଫୁଲ୍ଲଙ୍କ ମୃତ୍ୟୁ ଖବର କୁଲାଡ଼ରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବ୍ୟବଚ୍ଛେଦ ପରେ ମୃତ ପ୍ରଫୁଲ୍ଲଙ୍କ ଶବକୁ ପରିବାର ଲୋକ ପୁରୀ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରିଛନ୍ତି।

ପ୍ରଫୁଲ୍ଲ ଜଣେ ଅବସରପ୍ରାପ୍ତ ବନରକ୍ଷୀ ଥିଲେ। ଦ୍ବିତୀୟ ସ୍ତ୍ରୀ ପ୍ରମିତାଙ୍କ ସହ ତାଙ୍କର ବାରମ୍ବାର ଦାମ୍ପତ୍ୟ କଳହ ହେଉଥିଲା। ତେବେ ସୋମବାର ରାତି ଓ ପୁଣି ମଙ୍ଗଳବାର ସକାଳୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରମିତା ମଙ୍ଗଳବାର ସକାଳୁ ନିଜ ଘରେ ଦାନ୍ତ ଘଷୁଥିବା ପ୍ରଫୁଲ୍ଲଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ତାଙ୍କୁ ଭଞ୍ଜନଗର ଡାକ୍ତରଖାନା, ପରେ ବ୍ରହ୍ମପୁର ବଡ଼ ମେଡିକାଲ, ଶେଷରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଜୀବନ ରକ୍ଷା କରିବା ସମ୍ଭବପର ହୋଇପାରି ନଥିଲା। ଭଞ୍ଜନଗର ଥାନାଧିକାରୀ ଧିରେଶ କୁମାର ଦାସ କହିଛନ୍ତି ଯେ ପୁରୀ ସ୍ଵର୍ଗଦ୍ଵାରରୁ ଶେଷକୃତ୍ୟ ସମ୍ପନ୍ନ କରି ପରିବାର ଲୋକ ଫେରିବା ପରେ ଘଟଣାର ବାସ୍ତବ ସତ୍ୟ ଉନ୍ମୋଚିତ ହେବ।

Comments are closed.