ଗିରଫ ଜିଏସଟି ଅଧିକାରୀଙ୍କ ଅମାପ ଆୟ ବହିର୍ଭୂତ ସଂପତ୍ତି ଠାବ କଲା ଭିଜିଲାନ୍ସ 

ଭୁବନେଶ୍ୱର – ଲାଞ୍ଚ ନେଇ ଧରାପଡ଼ିଥିବା ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଯାଞ୍ଚ ବେଳେ ମହାନ୍ତିଙ୍କ ୨ଟି ଲକରରୁ ମିଳିଲା ୧.୦୬୦ କେଜି ସୁନା ଗହଣା, ୧୯ଟି ସୁନା ବିସ୍କୁଟ ମିଳିଛି । ପୂର୍ବରୁ ମିଳିଥିବା ସୁନାଗହଣା ମିଶାଇ ମୋଟ ୬୪ ଲକ୍ଷର ଗହଣା ଠାବ କରିଛି ଭିଜିଲାନ୍ସ । ଗତମାସ ୩୧ ତାରିଖରେ ୮୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ ଚିତ୍ତରଂଜନ ।

ଚଢ଼ାଉ ବେଳେ ଚିତ୍ତରଞ୍ଜନଙ୍କ କାର୍ଯ୍ୟାଳୟରେ ଥିବା ଆଲମାରୀରୁ ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟ ଏକ କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଠାବ କରିଛି ଭିଜିଲାନ୍ସ । କଟକ ସିଡିଏ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସିନ୍ଧ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ କରାଯାଇଛି ।

ଲାଞ୍ଚ ପାଇଁ ଗିରଫ ହୋଇଥିବା ଚିତ୍ତରଞ୍ଜନ ଭିଜିଲାନ୍ସ ରିମାଣ୍ଡରେ ଏପ୍ରିଲ ୧୩ ଯାଏଁ ରହିଛନ୍ତି । ଏକ ବ୍ୟବସାୟିକ ପ୍ରତିଷ୍ଠାନର ଜିଏସଟି ମାମଲା ରଫାଦଫା ଓ ଜବତ ହୋଇଥିବା ସାମଗ୍ରୀ ଫେରାଇବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା । ତାଙ୍କ ବିରୋଧରେ ଆଗରୁ ମଧ୍ୟ ଅନେକ ଅନିୟମିତତା ଅଭିଯୋଗ ରହିଥିବା ଜଣାପଡିଛି । ଚିତ୍ତରଞ୍ଜନଙ୍କ କେନ୍ଦ୍ରାପଡ଼ାରେ ଥିବା ପୈତୃକ ଘର, କଟକର ନିଜ ଘର ଓ ପାରାଦୀପ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସର ତିନିଟି ଟିମ୍ ।

Comments are closed.