ସୁନାଗହଣା ଦୋକାନ ଲୁଟ୍ ଘଟଣାର ପର୍ଦାଫାସ, ୨ ଗିରଫ ଲକ୍ଷାଧିକ ଟଙ୍କାର ଗହଣା ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଥାନା ଛକ ନିକଟରେ ଗତ ୧୯ ତାରିଖ ଦିନ ଘଟିଥିବା ସୁନା ଗହଣା ଦୋକାନ ଲୁଟ ଘଟଣାର ପର୍ଦାଫାସ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗଂଜାମ ଜିଲ୍ଲା ଆସ୍କାରୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ପୂର୍ବାକୋଟ ଗ୍ରାମର ରୋହିତ ଦାସ (୧୯) ଓ ଅନ୍ୟଜଣେ ଗଂଜାମ ଜିଲ୍ଲା କୋଦଲ ଥାନା ଅନ୍ତର୍ଗତ ଇ.ବେଳପଡା ଗ୍ରାମର ପି.ସୁନିଲ (୪୯) । ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ଚୋରି ହୋଇଥିବା ସାଢ଼େ ୩ଗ୍ରାମ୍ ସୁନା ଓ ୩କେଜି ୨୬୬ଗ୍ରାମ ରୁପା ଅଳଙ୍କାର ଉଦ୍ଧାର କରିଛି । ଏହାସହ ଚୋରି ସମୟରେ ବ୍ୟବହୃତ ଏକ ବାଇକ (ଓଡ଼ି-୨୫-ଇ-୮୦୦୬)କୁ ପୁଲିସ ଜବତ କରିଛି ।

ପ୍ରକାଶ ଥାଉକି ଘଟଣା ଦିନ ସକାଳ ୮ଟା ସମୟରେ ଦୋକାନ ମାଲିକ ବଜରଙ୍ଗୀ ପୃଷ୍ଟି ଦୋକାନ ଖୋଲି ଦୋକାନର ସାମନା ପଟରେ ଝାଡୁ ମାରୁଥିଲେ । ଏହି ସମୟରେ ହଠାତ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଦୋକାନ ଭିତରେ ଥିବା ସୁନା ଗହଣା ବ୍ୟାଗ ନେଇ ଫେରାର ହୋଇଯାଉଥିଲେ । ତେବେ ତାଙ୍କୁ ଦୌଡେଇବା ସହ ବ୍ୟାଗକୁ ଛଡ଼େଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ିର ଗତି ଅଧିକ ଥିବାରୁ ଘଟଣା ସ୍ଥଳରେ ଫେରାର ହୋଇଯାଇଥିଲେ । ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବରପାଲି ଥାନାରେ ନଂ- ୧୦୫/୨୩ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା । ତେବେ ବରପାଲି ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଂପୃକ୍ତ ଅଭିଯୁକ୍ତ ମାନେ ଗଞ୍ଜାମ ଜିଲ୍ଲାର ଜାଣିବା ପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆସ୍କାକୁ ଯାଇ ଗିରଫ କରିଥିଲା । ଏନେଇ ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଅମ୍ରିତ୍ କୁମାର ପଣ୍ଡା ଉକ୍ତ ଘଟଣା ଉପରେ ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରପାଲି ଥାନା ଅଧିକାରୀ ସବିତାଲତା ସେଠୀ, ଏସଆଇ ଜେପି ତାଣ୍ଡି, ଏଏସଆଇ କେକେ ସାହୁ, ହାବିଲଦାର କେ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.