ଜେନ୍ ନେକ୍ସଟ ଡେମୋକ୍ରାସି ନେଟୱର୍କ ଆଲୋଚନାଚକ୍ର : ବିପର୍ଯ୍ୟୟ ପରିଚାଳନାର ଓଡ଼ିଶା ମଡେଲକୁ ବିଦେଶ ପ୍ରତିନିଧିମାନଙ୍କ ପ୍ରଶଂସା
ଭୁବନେଶ୍ବର: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ପକ୍ଷରୁ ପ୍ରାୟୋଜିତ ଜେନ୍ ନେକ୍ସଟ – ଡେମୋକ୍ରାସି – ନେଟୱାର୍କ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କ ପାଇଁ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରରେ ଆଜି ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ବେଲଜିୟମ , ବ୍ରାଜିଲ , ବୁଲଗେରିଆ , କ୍ରୋଏସିଆ , ଗୁଏନା , ମଙ୍ଗୋଲିଆ , ପର୍ତ୍ତୁଗାଲ୍ ଓ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶକୁ ୨୬ ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଯୋଗରେ ‘ସୋଆ ’ ସଂଯୋଜନାରେ ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟରଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଯୋଗଦେଇ ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା କିପରି ବିପର୍ଯ୍ୟୟ ସଫଳତାର ସହ ପରିଚାଳନା କରିପାରିଛି , ସେ ସଂପର୍କରେ ସୂଚନା ଦେଇଥିଲେ ।
ଓଡ଼ିଶାରେ ବପର୍ଯ୍ୟୟ ପରିଚାଳନା ସଂପର୍କିତ ଅନୁଭୂତି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ଯୁବ ପ୍ରତିନିଧିଙ୍କୁ ଅବଗତ କରି କହିଲେ ଯେ , ୧୯୯୯ ରେ ସଂଘଠିତ ମହାବାତ୍ୟା ଆମର ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହି ବାତ୍ୟା ସଂପର୍କରେ ଅସ୍ପଷ୍ଟ ଆକଳନ , ଆମର ଯଥେଷ୍ଟ ପ୍ରସ୍ତୁତି ନରହିବା , ବାତ୍ୟା ସମୟରେ ୨୬୯ ରୁ ୩୦୦ କି.ମି. ପ୍ରତି ଘଣ୍ଟା ପବନର ବେଗକୁ ସମ୍ମୁଖୀନ ହେବାରେ ଆମର କ୍ଷମତା ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିର ଅଭାବ ଯୋଗୁଁ ଓଡ଼ିଶାରେ ପ୍ରାୟ ୧୦ ହଜାର ଜୀବନ ହାନି ଘଟିବା ସହ ୧୮ ଲକ୍ଷ ହେକ୍ଟର ଫସଲ ନଷ୍ଟ ଓ ୨୦ ଲକ୍ଷ ଘର ଭାଙ୍ଗିଥିଲା । ପରିବହନ ବ୍ୟବସ୍ଥା , ଟେଲିଫୋନ , ବିଦ୍ୟୁତ୍ ସରବରାହ ଓ ରାସ୍ତାଘାଟର ବହୁ କ୍ଷୟକ୍ଷତି ହୋଇଥିଲା । ଏହି ମହାବାତ୍ୟା ପରଠାରୁ ଏ ପର୍ଯ୍ୟନ୍ତ ଆମେ ୧୦ଟି ବାତ୍ୟା ସମ୍ମୁଖୀନ ହୋଇ ଆମେ ଏଥିରୁ ବହୁତ କିଛି ଶିକ୍ଷା ଲାଭ କରିଛୁ । ପ୍ରତିଟି ବାତ୍ୟାର ଅନୁଭୂତି ଭିନ୍ନ ଭିନ୍ନ ରହିଥିଲା । ୨୦୧୩ ମସିହାରେ ‘ ଫାଇଲିନ ’ ବାତ୍ୟାରେ ୨୧ ଜଣ , ୨୦୧୪ରେ ‘ ହୁଡ ହୁଡ’ରେ ୩ ଜଣ , ୨୦୧୮ ‘ ତିତିଲି’ରେ ଭୂସ୍ଖଳନ ଯୋଗୁଁ ୭୨ ଜଣ ଓ ୨୦୧୯ ରେ ‘ ଫନୀ ’ ଗ୍ରୀଷ୍ମକାଳୀନ ଆକସ୍ମିକ ବାତ୍ୟାରେ ୬୪ ଜଣଙ୍କର ଜୀବନ ହାନି ଘଟିଥ୍ୟାବାବେଳେ ପରବର୍ତ୍ତୀ ସମୟରେ ଆମର ସୁଦୃଢ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଗୁଁ ଆମେ ୨୦୧୯ ‘ ବୁଲୁବୁଲ ’ ବାତ୍ୟାଠାରୁ ଆଜି ପର୍ଯ୍ୟନ୍ତ ଜିରୋ କାଜୁଆଲିଟି (ଶୂନ ମୃତାହତ) କୁ ନିଶ୍ଚିତ କରିଆସିଛୁ ।
ଏବେ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଯୋଗାଯୋଗ ଓ ସୂଚନା ସରବରାହ ବ୍ୟବସ୍ଥାରେ ଉନ୍ନତି ଘଟିଛି । ନିର୍ଦ୍ଦିଷ୍ଟ ସୂଚନା ନିର୍ଦ୍ଦିଷ୍ଟ ଅଂଚଳକୁ ପ୍ରେରଣ କରାଯାଉଛି । ସାମାଜିକ ଗଣମାଧ୍ଯମ ସହିତ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ସହଯୋଗ ଆମର ବିପର୍ଯ୍ୟୟ ମୁକାବିଲା ପରିଚାଳନାକୁ ସୁଦୃଢ଼ କରିଛି । ବାତ୍ୟା ସମ୍ପର୍କରେ ପ୍ରାକ୍ ସୂଚନା ପାଇବା କ୍ଷଣି ଆକଳନ ଅନୁସାରେ ସମ୍ଭାବ୍ୟ ପ୍ରଭାବିତ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ୩୨ ପ୍ରକାର ବିପର୍ଯ୍ୟୟ ପରିଚାଳନାରୋଧୀ ଉପକରଣ ସାଙ୍ଗକୁ ବିପର୍ଯ୍ୟୟ ସମୟରେ ଜେନେରଟର , ଟାୱାର ଆଲୋକ , ଯଥେଷ୍ଟ ପରିମାଣର ପିଇବା ପାଣି ବନ୍ୟା ବା ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଉଛି । ବିଭିନ୍ନ ଗୋଷ୍ଠୀଭିତିକ ସ୍ଵେଚ୍ଛାସେବୀ ଆମର ସମ୍ବଳ ହୋଇଛନ୍ତି । ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ପ୍ରତିଟି ବ୍ୟବସ୍ଥା ସାମୁହିକ ଭାବେ କାର୍ଯ୍ୟ କରିଥା’ନ୍ତି ବୋଲି ସେ ପ୍ରକାଶ କରିବା ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆଏଫ୍) ଏବଂ ଓଡ଼ିଶା ବିପର୍ଯ୍ୟୟ ତ୍ବରିତ କ୍ରିୟାନୁଷ୍ଠାନ ବଳ ( ଓଡ୍ରାଫ୍ ) , ଅଗ୍ନିଶମ ସେବା ବ୍ୟବସ୍ଥା ସହ ଆବଶ୍ୟକ ସମୟରେ ଭାରତୀୟ ପ୍ରତିରକ୍ଷା ବାହିନୀର ସେବା ଆମର ବିପର୍ଯ୍ୟୟ ପରିଚାଳନାର ମୂଳ ପୁଞ୍ଜିବୋଲି ସେ କହିଥିଲେ ।
ବନ୍ୟା – ବାତ୍ୟା ସମୟରେ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯିବା ସହ ଆମର ଗ୍ରାମ୍ୟ କମିଟିମାନେ ସର୍ବାଧୂକ କ୍ରିୟାଶୀଳ ହୋଇ ଆମକୁ ବିପର୍ଯ୍ୟୟ ପରିଚାଳନାରେ ସହାୟତା ଦେଉଛନ୍ତି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ସେହିପରି ଆମର ‘ କୋଭିଡ ‘ ମୁକାବିଲା ଆହ୍ଵାନ ପୂର୍ଣ୍ଣ ରହିଥିଲା ବୋଲି ଶ୍ରୀ ଜେନା ପ୍ରକାଶ କରିବା ସହ ନିତାନ୍ତ ଆବଶ୍ୟକତା ସମୟରେ ଆମ ରାଜ୍ୟରୁ ଲିକ୍ୟୁଇଡ୍ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପ୍ରେରଣ କରାଯିବା ଯୋଗୁଁ ବହୁ ଜୀବନ ବଞ୍ଚାଇବାରେ ଓଡ଼ିଶା ସକ୍ଷମ ହୋଇଥିଲା ବୋଲି ସେ କହିଥିଲେ ।
ଅଂଶଗ୍ରହଣ କରିଥିବା ବିଦେଶୀ ପ୍ରତିନିଧିମାନେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ପ୍ରଶଂସା କରିବା ସହ ଏ ସଂପର୍କରେ ଅଧିକ ଜାଣିବା ପାଇଁ ଉତ୍କଣ୍ଠାର ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ରିଲିଫ ପରିଚାଳନାରେ ଆର୍ଥିକ ସ୍ବଚ୍ଛତା ଅବଲମ୍ବନ , ହିତାଧିକାରୀଙ୍କୁ ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ ବ୍ୟବସ୍ଥା ( ଡି.ବି.ଟି ) , ସାମାଜିକ ଅଡିଟ୍ ଏବଂ ରିଲିଫ ପରିଚାଳନା ସଂପର୍କିତ ସବିଶେଷ ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା ) ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ଯୋଗ ଦେଇ ପାୱାର ପଏଣ୍ଟ ଉପସ୍ଥାପନ ଜରିଆରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଆଇ.ସି.ଆର.ଆର.ର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଓସଡମାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed.