ମା’ ବୁଢ଼ି ଠାକୁରାଣୀ ଯାତ୍ରା: ଖୋଲୁଛି ଗୋଟିଏ ପରେ ଗୋଟିଏ ରଥ 

ବ୍ରହ୍ମପୁର: ରେଶମ ସହରର ଦ୍ଵିବାର୍ଷିକ ମା’ ବୁଢ଼ି ଠାକୁରାଣୀ ଯାତ୍ରା ଦିନକୁ ଦିନ ଅଧିକ ଆକର୍ଷଣୀୟ ହେବାରେ ଲାଗିଛି। ବଢ଼ିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ସମାଗମ। ଅଧିକରୁ ଅଧିକ ଚଳଚଞ୍ଚଳ ହେବାରେ ଲାଗିଛି ଯାତ୍ରାସ୍ଥଳ ବଡ଼ବଜାର ଦେଶୀବେହେରା ସାହି। ଯାତ୍ରାର ଜାକଜମକକୁ ଦ୍ବିଗୁଣିତ କରୁଛି ଦିନକୁ ଦିନ ଖୋଲୁଥିବା ପାରମ୍ପରିକ ରଥ ଓ ସୁସଜ୍ଜିତ କଳାକୁଞ୍ଜ। ପ୍ରତ୍ୟହ ଦେବୀଙ୍କ ଘଟ ପରିକ୍ରମା ବେଳେ ଶ୍ରଦ୍ଧାଳୁଙ୍କ ଆଗ୍ରହ, ଭକ୍ତିଭାବ ଉକ୍ତ ସ୍ଥାନର ଆଧ୍ୟାତ୍ମିକ ପରିବେଶକୁ ଅଧିକ ମହକିତ କରୁଛି। ଭୋରରୁ ଆରମ୍ଭ କରି ଦିନତମାମ, ଏପରିକି ରାତିର ଶେଷ ପହଡ଼ ପର୍ଯ୍ୟନ୍ତ ଭକ୍ତଙ୍କ ଯାଆସ, ଦେବୀ ଦର୍ଶନ ଓ ପୂଜା ଅର୍ଜନା ଲାଗି ରହୁଛି। ବିଶେଷ କରି ସନ୍ଧ୍ୟା ଆଳତୀ ଓ ତାହା ପରେ ଦେବୀଙ୍କ ମୁଖ୍ୟ ଘଟ ସମେତ ପାର୍ଶ୍ବ ଘଟଗୁଡ଼ିକର ଅସ୍ଥାୟୀ ପୀଠରୁ ଆରମ୍ଭ କରି ରାଜବାଟୀ ଦେଇ ବିଭିନ୍ନ ସାହି ବସ୍ତି ପରିକ୍ରମା ଏବଂ ଭିନ୍ନ ଭିନ୍ନ ରଥ, କଳାକୁଞ୍ଜକୁ ନିମନ୍ତ୍ରଣ ବେଳେ ଭକ୍ତଙ୍କ ଭିଡ଼ ଜନସମୁଦ୍ରର ଭ୍ରମ ସୃଷ୍ଟି କରୁଛି। ଯାତ୍ରାର ମଜା ନେଉଛନ୍ତି ସହରବାସୀଙ୍କ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରୁ ଛୁଟି ଆସୁଥିବା ଦର୍ଶନାର୍ଥୀ।

ଏ ମଧ୍ୟରେ ଗତ ରବିବାର ପ୍ରଥମେ ଖୋଲିଛି ଦେବୀଙ୍କ ପ୍ରିୟ ବିଞ୍ଚଣା ରଥ। ଶହ ଶହ ବର୍ଷ ପୁରାତନ ଠାକୁରାଣୀ ଯାତ୍ରାରେ ପ୍ରଥମେ ବିଞ୍ଚଣା ରଥ ହିଁ ଖୋଲିବା ପରମ୍ପରା ରହିଛି। ଏହା ପରେ ଅନ୍ୟାନ୍ୟ ରଥ ବା କଳାକୁଞ୍ଜ ଖୋଲାଯାଏ। କଥିତ ଅଛି ଯେ ପ୍ରଚଣ୍ଡ ରୌଦ୍ରତାପ ଦୃଷ୍ଟିରୁ ବିଞ୍ଚଣା ରଥ ଖୋଲିଲେ ଯାତ୍ରା ଅଞ୍ଚଳରେ ଶୀତଳତାର ସ୍ପର୍ଶ ଅନୁଭୂତ କରିହୁଏ। ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଜନ ବିଞ୍ଚଣା ରଥ ପ୍ରଭାବରେ ତାତିରୁ ତ୍ରାହି ପାଇଥାନ୍ତି। ଯାତ୍ରା ଆରମ୍ଭରୁ ଡେରା ସମ୍ପ୍ରଦାୟର ଲୋକ ବିଞ୍ଚଣା ରଥ ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ ଏବେ ବାବୁବାରୀ ସାହି ବାସିନ୍ଦା ପ୍ରାୟ ଦୁଇ ଦଶନ୍ଧି ହେବ ଏହି ରଥ ନିର୍ମାଣ ଓ ପ୍ରଦର୍ଶନର ଦାୟିତ୍ବ ତୁଲାଉଛନ୍ତି। ମା’ଙ୍କ ଅତି ପ୍ରିୟ ଏହି ରଥର ଉଚ୍ଚତା ୨୫ ଫୁଟ, ଓସାର ୧୫ ଫୁଟ। ରଥର ମଧ୍ୟ ଭାଗରେ ଥାଏ ଏକ ରୋଲର୍ ଯାହା ଉପରେ ୫ ଜଣ ଛୋଟ ଛୋଟ ପିଲା କୃଷ୍ଣ ଓ ଗୋପୀ ବେଶରେ ସଜ୍ଜିତ ହୋଇ ବସିଥାନ୍ତି ଓ ଦେବୀ ଆସି ଏହି ରଥ ପରିଦର୍ଶନ କରିଥାନ୍ତି। ଦେବୀ ରଥ ଦର୍ଶନ କରିବା ପର୍ଯ୍ୟନ୍ତ ଭକ୍ତ ପିଲାମାନେ ଉପବାସ ପାଳିଥାନ୍ତି। ଅନ୍ୟ ଦିନରେ ଦେବୀ ପ୍ରଥମେ ମହୁରୀ ରାଜବାଟୀ ଯାଉଥିବା ବେଳେ ଏହି ରଥ ଖୋଲିବା ଦିନ ମା’ ସାଆନ୍ତାଣୀ ପ୍ରଥମେ ଏହି ରଥ ଦର୍ଶନ କରିବା ପରେ ରାଜବାଟୀକୁ ଯାଇ ଭୋଗ ପୂଜା ଗ୍ରହଣ କରିଥାନ୍ତି। ଦେବୀ ମାଆ ବାପା ଘରୁ ଫେରିବା ଦିନ ମଧ୍ୟ ରଥକୁ ବୁଲାଯାଇଥାଏ। ସେଥିରୁ ଏହି ରଥର ମହତ୍ତ୍ବ କେତେ ତାହା ବୁଝିହୁଏ। ଏହାବାଦେ କାଳୁପାତ୍ର ସାହିରେ ଜ୍ଵାଳାମୁଖୀ ରଥ, ଷଣ୍ଢମହାନ୍ତି ସାହିରେ ଶିବାରୁଢ଼ କାଳୀ ରଥ ଓ ଚନ୍ଦ୍ରମା ସାହିରେ ବୋଇତ ରଥ ଅନୁକୁଳ ହୋଇସାରିଛି। ସୋମବାର ଦିନ ସାଆନ୍ତାଣୀ ସାହିରେ ଦେବୀଙ୍କ ଅନ୍ୟତମ ପ୍ରିୟ ଦୋଳି ରଥ ଉନ୍ମୋଚିତ ହୋଇଥିଲା। ଏଥିରେ କୁନି କୁନି ପିଲାମାନେ ବସି ଦୋଳି ଖେଳିଥିଲେ।

ଅପରପକ୍ଷରେ ଆଜି ମଙ୍ଗଳବାର ଥିବାରୁ ଅସ୍ଥାୟୀ ପୀଠରେ ପଣାପାଣି ଅର୍ପଣ ପାଇଁ ମହିଳାଙ୍କ ଭିଡ଼ ଅଧିକ ରହିଥିଲା। ଧର୍ମଝଣ୍ଡା ନିକଟରେ ହଜାର ହଜାର ମହିଳା ପଣା ଓ ହଳଦୀ ପାଣି ଅର୍ପଣ କରିଥିଲେ। ସେହିପରି ପରିକ୍ରମା ସମୟରେ ମା’ ସାଆନ୍ତାଣୀଙ୍କ ଗୋଡ଼ ଧୋଇବା ପାଇଁ ହଳଦୀ ଓ ପାଣି ନେଇ ବହୁ ସଂଖ୍ୟାରେ ମହିଳାମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ରହିଥାନ୍ତି। ବେଶ ମଧ୍ୟରେ ଆସିକା ରୋଡ୍ ହରିଜନ ସାହିର ଛୋଡଗାଜିଆ ବେଶ ସମସ୍ତଙ୍କୁ ଆକର୍ଷଣ କରିଥିଲା। ଏକ ଛୋଟ ଛୁଆ ବାଘ ବେଶଧାରୀ ହୋଇ ଆସି ଦେବୀଙ୍କ ଦର୍ଶନ କରିବା ଦୃଶ୍ୟ ଥିଲା ମନମୁଗ୍ଧକର। ଏଥିସହ ଖାଲାସୀ ସାହିରୁ ଏକକାଳୀନ ୮ ଜଣ ବାଘବେଶଧାରୀ ବାହାରି ଯାତ୍ରା ପରିବେଶକୁ ରୋମାଞ୍ଚିତ କରିଥିଲେ। ବାବାଜୀ ବେଶ, ପାଗଳ ବେଶ, ଶ୍ରୀଚୈତନ୍ୟ ବେଶ, ଝାଡୁଦାର ବେଶ, ରାଧାକୃଷ୍ଣ, ରାମ ବଳରାମ, ହନୁମାନ, ସୀତା ବେଶଧାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Comments are closed.