ଓଡିଶା ଦକ୍ଷତା କନକ୍ଲେଭ- ୨୦୨୩କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – କଳିଙ୍ଗ ଷ୍ଟାଡିୟମରେ ତିନିଦିନିଆ ଓଡ଼ିଶା ଦକ୍ଷତା କନକ୍ଲେଭ୍ -୨୦୨୩କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ୧ ଲକ୍ଷ ଯୁବପିଢ଼ିଙ୍କୁ ଟ୍ରେନିଂ ପାଇଁ ବଜେଟରେ ୧୦୦ କୋଟିର ବ୍ୟବସ୍ଥା ହୋଇଛି । ସ୍କିଲ୍ ଇନ୍ ଓଡ଼ିଶା ଏବେ ବିଶ୍ୱରେ ଚମକିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ ଶକ୍ତିରୁ ୭୦ ଲକ୍ଷ ମହିଳା ଆଜି ଉନ୍ନତ ହୋଇଛନ୍ତି। ସ୍କିଲ ଇନ୍ ଓଡ଼ିଶା ଏକ ବ୍ରାଣ୍ଡ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ପ୍ରମୁଖ ଉପସ୍ଥିତ ଥିଲେ ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଯେହେତୁ ପୁଞ୍ଜି ନିବେଶର ସୁଅ ଛୁଟିଛି ସେହି କ୍ଷେତ୍ରରେ ଦକ୍ଷ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି। ଆଜି ଏହାର ମୂଳଦୁଆ ପଡ଼ିଛି। ଆଗାମୀ ଦିନରେ ବେକାରୀ ସମସ୍ୟା ଦୂର ହୋଇପାରିବ। ଓଡ଼ିଶାର ଯୁବପୀଢି ଉନ୍ନତ ଜ୍ଞାନକୌଶଳ ସହ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିପରି ନିଜର ଉନ୍ନତି କରିବେ, ତାହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ତିନିଦିନିଆ କନକ୍ଲେଭରେ ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଅଂଶଗ୍ରହଣ କରୁଛନ୍ତି। ଏଥିରେ ବି ଏସଏଚଜି ମହିଳା ମଧ୍ୟ ସାମିଲ ହୋଇଛନ୍ତି।

Comments are closed.