ଗୁଜରାଟ ନରୋଦା ଗ୍ରାମ ଦଙ୍ଗା ମାମଲା: ପୂର୍ବତନ ମନ୍ତ୍ରୀ ମାୟା କୋଡନାନିଙ୍କ ସହ ସବୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଅହମ୍ମଦାବାଦ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ନରୋଦା ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନିଙ୍କ ସମେତ ଅହମ୍ମଦାବାଦର ଏକ କୋର୍ଟ ସମସ୍ତ ୬୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୭ ଫେବୃୟାରୀ ୨୦୦୨ରେ ଗୋଧ୍ରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେବା ଯୋଗୁଁ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରଦିନ ଅର୍ଥାତ୍ ୨୮ ଫେବୃଆରୀ ୨୦୦୨ରେ ସାରା ଗୁଜରାଟରେ ଦଙ୍ଗା ବ୍ୟାପି ଯାଇଥିଲା ।

ସେହିଦିନ ଅହମ୍ମଦାବାଦ ଉପକଣ୍ଠ ସ୍ଥିତ ନରୋଦା ଗ୍ରାମରେ ଘଟିଥିବା ହିଂସାରେ ଦଙ୍ଗାକାରୀମାନେ ମୁସଲିମ ସମ୍ପ୍ରଦାୟର ୧୧ ଜଣ ଲୋକଙ୍କୁ ଜିଅନ୍ତା ଜାଳି ଦେଇଥିଲେ ।

ଏହି ମାମଲାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ତତ୍କାଳୀନ ରାଜ୍ୟ ସରକାରର ପୂର୍ବତନ ମନ୍ତ୍ରୀ ମାୟା କୋଡନାନିଙ୍କ ସହ ବଜରଙ୍ଗ ଦଳ କର୍ମୀ ବାବୁ ବଜରଙ୍ଗୀ, ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ସାଧାରଣ ସମ୍ପାଦକ ଜୟଦୀପ ପଟେଲ, ବିଜେପି ନେତା ବଲ୍ଲଭ ପଟେଲ ଆଦିଙ୍କ ବିରୋଧରେ ହତ୍ୟା, ଦଙ୍ଗା, ବେଆଇନ ଭିଡ଼ ଜମାଇବା ତଥା ଅପରାଧିକ ଷଡଯନ୍ତ୍ର ନେଇ ଅଭିଯୋଗ ହୋଇଥିଲା ।

ନରୋଦା ପାଟିଆ ଦଙ୍ଗା ମାମଲାରେ ମାୟା କୋଡନାନି ଏବଂ ବାବୁ ବଜରଙ୍ଗୀଙ୍କ ସମେତ ୬ ଜଣ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ପରେ ଗୁଜରାଟ ହାଇକୋର୍ଟ ମାୟା କୋଡନାନିଙ୍କୁ ଦୋଷମୁକ୍ତ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମାୟା କୋଡନାନିଙ୍କ ସପକ୍ଷରେ ସାକ୍ଷ୍ୟ ଦେଇଥିଲେ ।

ଏହି ମାମଲାରେ ସମୁଦାୟ ୮୬ ଅଭିଯୁକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

୨୦୦୨ ଗୁଜରାଟ ଦଙ୍ଗା ସହ ଜଡ଼ିତ ୯ଟି ମାମଲା ମଧ୍ୟରୁ ନରୋଦା ଗ୍ରାମ ମାମଲା ଅନ୍ୟତମ ଯାହାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି ୧୪ ବର୍ଷ ପୂର୍ବେ ଜୁଲାଇ ୨୦୦୯ରେ ଆରମ୍ଭ ହୋଇଥିଲା।

Comments are closed.