ଖଣି ଲିଜଧାରୀଙ୍କୁ ଲାଞ୍ଚ ମାଗିବା ଅଭିଯୋଗ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରି ପୋଲିସର ତଦନ୍ତ

ଭୁବନେଶ୍ୱର – ନୟାଗଡ଼ ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଜଣେ ଖଣି ଲିଜଧାରୀଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ପରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ବିରୋଧରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦପୁର ଥାନା ପୋଲିସ ମାମଲା ରୁଜୁ କରିଛି । ଅନ୍ୟ ତିନିଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ। ତେବେ ନୟାଗଡ଼ ଜିଲ୍ଲାପାଳ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅଭିଯୋଗ ହୋଇଛି ଯେ, ଏ ବର୍ଷ ଜାନୁଆରୀ ୨୬ ତାରିଖରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ମାନ୍ଧାତା ମୟୂରଝାଲିଆ ମାଙ୍କଡା ପଥର ଖଣି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହିତ ବଜ୍ରକୋଟ ଗାଁର ଦିଲ୍ଲୀପ କୁମାର ସାମନ୍ତରାୟ, ଓସ୍ତାପଡ଼ାର ଦୀପକ କୁମାର ରାଉତରାୟ ଓ ଚମ୍ପାଗଡ଼ର ଗଣେଶ୍ଵର ମାନ୍ଧାତା ଯାଇଥିଲେ। ଖଣି ଲିଜଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ଜିଲ୍ଲାପାଳ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ମାଗିଥିବାରୁ ଜିଲ୍ଲାପାଳଙ୍କ ବିରୋଧରେ ଖଣି ଲିଜଧାରୀ ସୁଶାନ୍ତ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ସେ ନୟାଗଡ଼ ଏସ୍‌ପିଙ୍କୁ ମଧ୍ୟ ଘଟଣା ସମ୍ପର୍କରେ କହିଥିଲେ । କିନ୍ତୁ କୌଣସି ତଦନ୍ତ ନହେବାରୁ ନିରାଶ ସୁଶାନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଅଭିଯୋଗକୁ ଗୁରୁତର ସହ ନେବା ସହ ମାମଲା ରୁଜୁ କରି ତଦନ୍ତ କରିବାକୁ ଚାନ୍ଦପୁର ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.