ପଞ୍ଚମ ଜିଲ୍ଲା ପରିଷଦ ବୈଠକ: ୭୪୧୪୫ ହେକ୍ଟରରେ ରବି ଫସଲ ହୋଇଛି

ସମ୍ବଲପୁର: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସମ୍ବଲପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନନ୍ୟା ଦାସ, କୁଚିଣ୍ଡା ବିଧାୟକ କିଶୋର ନାୟକ, ରେଙ୍ଗାଲି ବିଧାୟକ ନାଉରି ନାୟକ ସମେତ ରେଢ଼ାଖୋଲ ଓ ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ଏବଂ ସାଂସଦଙ୍କ ପ୍ରତିନିଧି, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରମେଶ ହାଁସଦା ସମେତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତର ଅଧ୍ୟକ୍ଷ /ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଞ୍ଚାୟତ ସମିତି ର ଅଧ୍ୟକ୍ଷ /ଅଧ୍ୟକ୍ଷା ନିଜ ନିଜ ଅଞ୍ଚଳ ର ସମସ୍ୟା ସହ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ |

ବୈଠକରେ କୃଷି ବିଭାଗର ରବି କାର୍ଯ୍ୟକ୍ରମ ଓ ୨୦୨୨ -୨୩ ପାଇଁ ଏହାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଛି। ଗତ ରବି ଋତୁ ରେ ୭୪୨୦୦ ହେକ୍ଟର ଜମିରେ ବିଭିନ୍ନ ଫସଲର ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ସ୍ଥଳେ ୭୪୧୪୫ ହେକ୍ଟର ଚାଷ କରାଯାଇଛି। ଚାଷୀଙ୍କୁ ଯୋଗେଇ ଦିଆଯାଉଥିବା ସାର, ଇନପୁଟ ସବସିଡ଼ି, ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ ପ୍ରସ୍ତାବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭିତ୍ତିଭୂମିର ଉନ୍ନତି ପ୍ରସ୍ତାବ | ଖାଲିପଡ଼ିଥିବା ଶିକ୍ଷକ ପଦବୀ, ୫ ଟି ସ୍କୁଲ ରୂପାନ୍ତରିକରଣ ସମ୍ପର୍କେ, ଜିଲ୍ଲା ମଙ୍ଗଳ ବିଭାଗ ର ଶିକ୍ଷକ ସ୍ଥିତି, ପରିଚାଳନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଉଠା ଜଳ ସେଚନ, ଖୁଦ୍ର ଜଳ ସେଚନ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ପୂର୍ତ୍ତ ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କ ରେ ଆଲୋଚନା ହୋଇଛି। ରେଢ଼ାଖୋଲ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ରର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଇଥିବା ବିଭାଗୀୟ ଅଧିକାରୀ ବୈଠକରେ କହିଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଣ୍ଟନ, କୃଷି ଋଣ, ପଂଚାୟତିରାଜ ଓ ପାନୀୟ ଜଳ ଓ ପରିମଳ ବିଭାଗ ର ବିଭିନ୍ନ ଯୋଜନାର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳକୁ ପ୍ରାଥମିକତା ଦେବାକୁ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ପଞ୍ଚଦଶ ଓ ପଞ୍ଚମ ଅର୍ଥ କମିଶନ ଆବଦ୍ଧ ଅନୁଦାନର ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Comments are closed.