୨୦୧୪ ଲାଞ୍ଚ ମାମଲାରେ ଚୂଡାନ୍ତ ରାୟ, ତତ୍କାଳୀନ ଆସ୍କା ଆରଆଇଙ୍କୁ ବର୍ଷେ ସଶ୍ରମ ଜେଲ ଦଣ୍ଡାଦେଶ

ବ୍ରହ୍ମପୁର – ୨୦୧୪ ମସିହାରେ ଏକ ଲାଞ୍ଚ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣ କୁମାର ସାହୁ ଆଜି ୨୦୧୪ ମସିହାର ଏକ ଲାଞ୍ଚ ଗ୍ରହଣ ମାମଲାରେ ଚୂଡାନ୍ତ ରାୟ ଦେଇଛନ୍ତି । ଏହି ମାମଲାରେ ଆସ୍କା ତହସିଲର ତତ୍କାଳୀନ ଆର୍‌ଆଇ ଯୋଗେନ୍ଦ୍ର କୁମାର ବେହେରାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ । ଏଥିସହ ୫ ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି । ଜୋରିମାନା ଅନାଦେୟ ଦୋଷୀ ଆରଆଇଙ୍କୁ ଅଧିକ ଗୋଟିଏ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ବସନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଭଉଣୀଙ୍କ ନାମରେ ଥିବା ଜମିର ମ୍ୟୁଟେସନ ପାଇଁ ଆସ୍କା ତହସିଲଦାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲଦାରଙ୍କ ନି‌ର୍ଦ୍ଦେଶରେ ଦୁଇଟି ପୃୃଥକ ମାମଲା ରୁଜୁ ହୋଇ ତଦନ୍ତ ରିପୋର୍ଟ ଦେବାକୁ ଆର୍‌ଆଇଙ୍କ ପାଖକୁ ରେକର୍ଡ ଯାଇଥିଳା। କିନ୍ତୁ ଆରଆଇ ଜଣକ ଯାଂଚ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରିବା ପାଇଁ ଆବେଦନକାରୀ ବସନ୍ତଙ୍କୁ ୧୪ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବସନ୍ତ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ । ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତ ଯୋଜନା ମୁତାବକ, ବସନ୍ତ ଯୋଗେନ୍ଦ୍ରଙ୍କୁ ଭେଟି ୧୪ଶହ ଟଙ୍କା ଦେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ସେହି ଟଙ୍କା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ୍ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୧୫ଦିନ ପରେ ତାଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହୋଇଥିଲା। ୧୦ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

Comments are closed.