ନକଲି ଔଷଧ କାରବାର ଘଟଣାରେ ୟୁପିକୁ ଲମ୍ବିଛି ଚେର, ୫ଜଣ ଅଭିଯୁକ୍ତଙ୍କୁ ବରଗଡ଼ ଆଣିଲା ପୋଲିସ

ବରଗଡ,୨୭ା୪:ବରଗଡ଼ ଜିଲ୍ଲାରେ ଧରାପଡ଼ିଥିବା ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଛି। ଏହା ଜଣାପଡ଼ିବା ପରେ ପୋଲିସ ଟିମ୍‌ ସେଠାକୁ ପହଞ୍ଚି ୫ ଅଭିଯୁକ୍ତଙ୍କୁ ବରଗଡ଼କୁ ଆଣିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲା ଭେଲୁପୁର ଥାନା ବାଦିଗାଇବିର ଶୁଭମ୍‌ ଜୟସ୍ବାଲ, ସାରନାଥ ଜିଲ୍ଲା ଚକବିହିର ରିତେଶ କୁମାର ଜୟସ୍ବାଲ, ଜୈତପୁର ଥାନା ଦାରାନଗରର ଚନ୍ଦ୍ରଶେଖର ସିଂ, ଆଡମପୁର ଥାନା ପଟନଦରଓ୍ବାଜାର ଗୌରବ ଶର୍ମା ଏବଂ ଚୌକ ଥାନା ବଡ୍ଡିପ୍ୟାରୀ ନିବାସୀ ସୁନିଲ ଅଗ୍ରଓ୍ବାଲ। ଗିରଫ ଅଭିଯୁକ୍ତମାନେ ବିଭିନ୍ନ ୨୫ ପ୍ରକାର ନକଲି ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ପ୍ରକାଶ ଥାଉକି, ଗତ ଜାନୁୟାରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ବରଗଡ଼ ସହରକୁ ଆସିଥିଲେ। ସେମାନେ ସହରର ବିଭିନ୍ନ ଔଷଧ ଦୋକାନରେ ଅତର୍କିତ ଚଢ଼ାଉ କରି କେତେକ ଔଷଧର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ବିଭାଗୀୟ ଲାବରେଟୋରୀକୁ ପଠାଇଥିଲେ। ତେବେ ବରଗଡ଼ ସହରସ୍ଥିତ ଅଶୋକ ମେଡିକାଲ ହଲରୁ ସଂଗୃହୀତ ଔଷଧ ନକଲି ବୋଲି ପରୀକ୍ଷା ପରେ ଜଣାପଡ଼ିଥିଲା। ଏହାପରେ ଡାଇରେକ୍ଟୋରେଟ ଅଫ୍‌ ଡ୍ରଗ୍ସ କଣ୍ଟ୍ରୋଲ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ନାଗ ବରଗଡ଼ର ଅଶୋକ ମେଡିକାଲ ହଲର ମାଲିକ ସୁନିଲ ଅଗ୍ରଓ୍ବାଲଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ ସହିତ ଗତ ଜାନୁୟାରୀ ୧୮ରେ ଔଷଧ ଦୋକାନୀ ସୁନିଲଙ୍କୁ ଗିରଫ କରିଥିଲା। ତାଙ୍କୁ ଅଧିକ ପଚରାଉଚରା ପରେ ଏହି ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଥିବା ଜାଣି ପାରି ପୋଲିସ ସେଠାରେ ପହଞ୍ଚି ଏସ୍‌ଟିଏଫ୍‌ ସହାୟତାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ ଉତ୍ତରପ୍ରଦେଶ ପୋଲିସ ସେଠାରେ ଗତ ମାର୍ଚ୍ଚ ମାସରେ ରୁଜୁ ହୋଇଥିବା ଅନ୍ୟ ଏକ ମାମଲାରେ ଗିରଫ କରିଥିଲା ଏବଂ ସେଠାରୁ ସେମାନଙ୍କୁ ଏଠାକୁ ଟ୍ରାନ୍‌ଜିଟ ରିମାଣ୍ଡରେ ଅଣାଯାଇଛି ବୋଲି ଗୁରୁବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି। ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡନକେଲ ମଧ୍ୟ ଉପସ୍ଥିତ ଥିଲେ।

Comments are closed.