୨୦୨୩ ଖରିଫ ଫସଲ ନିମନ୍ତେ ସମବାୟ ବିଭାଗ ୯୫୦୦ କୋଟି ଟଙ୍କାର ଋଣ ଯୋଗାଇବ : ସମବାୟ ମନ୍ତ୍ରୀ

ଭୁବନେଶ୍ଵର: ୨୮ ଅପ୍ରେଲ ୨୦୨୩ କୃଷି ରାଜ୍ୟ ଅର୍ଥନୀତିର ମୂଳ ଆଧାର । ରାଜ୍ୟର ଜନସଂଖ୍ୟାର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷି ଉପରେ ନିର୍ଭରଶୀଳ । ଓଡ଼ିଶାର କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ସ୍ଵଳ୍ପମିଆଦି ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ବିଭାଗ ସର୍ବଦା ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି । ସମବାୟ ବିଭାଗ ପକ୍ଷରୁ ୨୦୨୩ ଖରିଫ୍ ଫସଲ ନିମନ୍ତେ ସମବାୟ ସଂସ୍ଥା ଜରିଆରେ ୯୫୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ମୋଟ ଫସଲ ଋଣର ସିଂହଭାଗ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ , ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି । ଖରିଫ ଚାଷ ନିମନ୍ତେ ଚାଷୀମାନେ ଆବଶ୍ୟକ କରୁଥିବା ଋଣ ଯେପରି ଠିକ୍ ସମୟରେ ପାଇପାରିବେ ସେଥ୍ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି । ଭାଗଚାଷୀ , ପ୍ରକୃତ ଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ଏଥ୍ ସହିତ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ , ବିଶେଷ କରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି ।

ଡାଲିଜାତୀୟ ଫସଲ , ତୈଳବୀଜ , ଆଳୁ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷ କରିବା ନିମନ୍ତେ ପ୍ରାଥମିକତା ଭିତ୍ତିରେ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ଉଦ୍ୟାନ କୃଷି ଓ ବାଣିଜ୍ୟିକ ଫସଲ ଚାଷ ନିମନ୍ତେ ଫସଲ ଋଣ ଯୋଗାଇଦେବାକୁ ପ୍ରାଥମିକତା ପ୍ରଦାନ ସହିତ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି । ଏହି ମର୍ମରେ ସମବାୟ ବିଭାଗ ସଚିବ ସଂଜୀବ କୁମାର ଚଡ଼ାଙ୍କ ଦ୍ୱାରା ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇ ସମବାୟ ସଂସ୍ଥାମାନଙ୍କ ଦ୍ଵାରା ଫସଲ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ କୁହାଯାଇଛି । ବାଦ ପଡ଼ିଥିବା ଚାଷୀଙ୍କ ମଧ୍ୟରୁ ଅଧିକରୁ ଅଧିକ ଚାଷୀଙ୍କୁ ସମବାୟ ଋଣ ପରିସରଭୁକ୍ତ କରି ସେମାନଙ୍କୁ ନୂତନ କିଷାନ କ୍ରେଡିଟ୍ କାର୍ଡ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ , ଡିଆର୍‌ସିଏସ୍ , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୨୦୨୨ ଖରିଫ ଋତୁରେ ସମବାୟ ସଂସ୍ଥା ଦ୍ଵାରା ୯୦୦୦ କୋଟି ଟଙ୍କା ଫସଲ ଋଣ ଲକ୍ଷ୍ୟ ରଖାଯାଇଥିଲା ବେଳେ ରାଜ୍ୟର ୧୮ ଲକ୍ଷ ୯୯୯ ଜଣ ଚାଷୀଙ୍କୁ ୮୭୧୦ କୋଟି ୭୮ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିଲା । ଏହି ଫସଲ ଋଣ ପ୍ରଦାନ ଥିଲା ଏକ ସର୍ବକାଳୀନ ରେକର୍ଡ । ସେହିପରି ଗତ ୨୦୨୨ – ୨୩ ରବି ଋତୁରେ ( ୨୯ ମାର୍ଚ୍ଚ , ୨୦୨୩ ସୁଦ୍ଧା ) ସମବାୟ ସଂସ୍ଥା ପକ୍ଷରୁ ରାଜ୍ୟର ୧୬ ଲକ୍ଷ ୨୩ ହଜାର ୭୯୦ ଜଣ ଚାଷୀଙ୍କୁ ୭୮୧୨ କୋଟି ୨୨ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଚଳିତ ୨୦୨୩ ଖରିଫ ଋତୁରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ , ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିଗୁଡିକ ଧାର୍ଯ୍ୟ ୯୫୦୦ କୋଟି ଟଙ୍କା ଫସଲ ଋଣ ପ୍ରଦାନ ଲକ୍ଷ୍ୟ ହାସଲ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସମବାୟ ସଂସ୍ଥା ଜରିଆରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ଫସଲରଣ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବ୍ୟାପକ ରିହାତି ଯୋଗାଇ ଦିଆଯାଉଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ପରିଶୋଧ କରୁଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ଦେବାକୁ ପଡୁନାହିଁ । ସେହିପରି ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ଓ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନିମନ୍ତେ ମାତ୍ର ୨ ପ୍ରତିଶତ ସୁଧ ଦେବାକୁ ପଡୁଛି । ଫସଲ ଋଣ କ୍ଷେତ୍ରରେ ସରକାରଙ୍କ ଦ୍ଵାରା ବ୍ୟାପକ ରିହାତି ପ୍ରଦାନ କରାଯାଇଥିବା ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆଧାର କାର୍ଡକୁ ସେମାନଙ୍କର କିଷାନ କ୍ରେଡିଟ୍ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି , ଯେପରି ପ୍ରକୃତ ହିତାଧ୍ୟାକାରୀ ଯୋଜନାର ସୁଫଳ ପାଇପାରିବେ । ଏଥ୍ ସହିତ ମଂଜୁରୀପ୍ରାପ୍ତ ରଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସମସ୍ତ କାର୍ଯ୍ୟ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯୋଗାଇ ଦିଆଯାଉଥିବା ଫସଲ ଋଣର ଫଳପ୍ରସୂ ବିନିଯୋଗ ଲକ୍ଷ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ବିହନ , ସାର ଓ କୀଟନାଶକ ଆଦି ଠିକ୍ ସମୟରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମବାୟ ସମିତିଗୁଡ଼ିକ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଗୋଦାମରେ ଗଚ୍ଛିତ ରଖୁବା ପାଇଁ କୁହାଯାଇଛି , ଯେପରି ଆବଶ୍ୟକତା ଅନୁସାରେ ଚାଷୀମାନେ ଠିକ୍ ସମୟରେ ପାଇପାରିବେ । ସେହିପରି ମାର୍କଫେଡ୍ ସଂସ୍ଥାକୁ ଆବଶ୍ୟକ ପରିମାଣର ସାର ସଂଗ୍ରହ କରି ବିଭିନ୍ନ ଗୋଦାମ , ଡିପୋ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରରେ ମହଜୁଦ କରି ରଖୁବେ , ଯେପରି ସେଗୁଡ଼ିକ ତୁରନ୍ତ ସମବାୟ ସମିତିଗୁଡ଼ିକୁ ପ୍ରେରଣ କରାଯାଇପାରିବ । ୨୦୨୩ ଖରିଫ୍ ଫସଲ ଋଣ ଯୋଗାଣର ସଫଳ ରୂପାୟନ ସହ ତ୍ଵରିତ କାର୍ଯ୍ୟାନ୍ଵୟନ ଦିଗରେ ଜିଲ୍ଲାପାଳମାନେ କୃଷି ଉଦ୍ୟାନ କୃଷି ଏବଂ ସଂପୃକ୍ତ ବିଭାଗର କ୍ଷେତ୍ର ଅଧିକାରୀଙ୍କ ସହିତ ବୈଠକ କରି ଆଗୁଆ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି , ଯେପରି ରାଜ୍ୟର ଚାଷୀମାନେ ଲାଭାନ୍ବିତ ହୋଇପାରିବେ ଏବଂ କୃଷି ଉତ୍ପାଦନ ବୃଦ୍ଧି ପାଇବ ।

Comments are closed.