ରେସଲରଙ୍କୁ ଭେଟି ସମର୍ଥନ ଜଣାଇଲେ କେଜ୍ରିୱାଲ, କେନ୍ଦ୍ରକୁ ‘ନିଷ୍ଠୁର’ ନ ହେବାକୁ କହିଲେ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଜନ୍ତର ମନ୍ତର ଠାରେ ଧାରଣାରେ ବସିଥିବା ରେସଲରମାନଙ୍କୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କେନ୍ଦ୍ର ସରକାରଙ୍କୁ ‘ନିଷ୍ଠୁର’ ନହେବାକୁ ଅନୁରୋଧ କରିଛନ୍ତି।

କେଜ୍ରିୱାଲ ଶନିବାର ଜନ୍ତର ମନ୍ତର ପହଞ୍ଚି ବିକ୍ଷୋଭରତ ରେସଲରଙ୍କୁ ଭେଟିଛନ୍ତି । ସେ କହିଛନ୍ତି ଯେ ଏହି ଖେଳାଳିମାନେ ନିଜ ପାଇଁ ଲଢ଼ୁନାହାଁନ୍ତି ବରଂ ସମଗ୍ର କ୍ରୀଡା ଜଗତ ପାଇଁ ଲଢ଼େଇ କରୁଛନ୍ତି |

ମୁଁ କେନ୍ଦ୍ର ସରକାରଙ୍କୁ ଏତେ ନିଷ୍ଠୁର ନହେବାକୁ ଅନୁରୋଧ କରୁଛି। କାରଣ ରେସଲରଙ୍କୁ ପାଣି ବନ୍ଦ କରି ଦିଆଯାଇଛି। ବିଛଣା ବନ୍ଦ କରାଯାଇଛି। ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଛି। ଆମେ ଦିଲ୍ଲୀ ସରକାରଙ୍କ ତରଫରୁ ଯାହା ହୋଇପାରିବ ତାହା କରିବୁ ବୋଲି କେଜ୍ରିୱାଲ କହିଛନ୍ତି ।

ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କରିବାକୁ କେଜ୍ରିୱାଲ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, “କଂଗ୍ରେସ, ବିଜେପି, ଆମ୍ ଆଦମୀ ପାର୍ଟିର ଲୋକ କିମ୍ବା ଅନ୍ୟ କେହି ହୁଅନ୍ତୁ ନା କାହିଁକି, ଯେଉଁମାନେ ଭାରତକୁ ଭଲ ପାଆନ୍ତି ସେମାନେ ଆସନ୍ତୁ ଓ ଏହି ଖେଳାଳିମାନଙ୍କୁ ସମର୍ଥନ କରନ୍ତୁ ।

କେଜ୍ରିୱାଲ କହିଥିଲେ, ଟିକେ ଭାବନ୍ତୁ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ୭ ଦିନ ଲାଗିଲା ଓ ସୁପ୍ରିମକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା । ଯଦି ଏହି ପିଲାମାନେ ସଂଘର୍ଷ କରି ନଥାନ୍ତେ, ତେବେ ଝିଅମାନଙ୍କ ସହ ଭୁଲ୍ କାମ ଜାରି ରହିଥାନ୍ତା। ଏମାନେ ଆମ ପିଲା, ସେମାନେ ଆମ ଟେକ ରଖିଛନ୍ତି ।

କୁସ୍ତି ସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦୁଇଟି ମାମଲା ରୁଜୁ କରିଥିଲେ ମଧ୍ୟ ରେସଲରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ ବ୍ରିଜଭୂଷଣଙ୍କ ଇସ୍ତଫା ସହ ଗିରଫ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ବ୍ରିଜଭୂଷଣ ତାଙ୍କ ବିରୋଧରେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଓ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ରେସଲରଙ୍କ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଏହି ବିଜେପି ସାଂସଦ।

Comments are closed.