ସଜେଇ ହେଉଛି ଭଞ୍ଜନଗର ମୁଖ୍ୟ ସଡ଼କ, ପୁରୀ ଢାଞ୍ଚାରେ ଅଙ୍କାଯାଉଛି ଝୋଟି ଚିତା 

ଭଞ୍ଜନଗର: ଚାରିଆଡ଼େ ଠାକୁରାଣୀ ଯାତ୍ରାର ଆଧ୍ୟାତ୍ମିକ ପରିବେଶ। ବିଭିନ୍ନ ଗାଁ ଓ ସହରରେ ଏବେ ମା’ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ବା ଦେବୀଙ୍କ ଆଗମନକୁ ଅପେକ୍ଷା କରିଛି ଅସ୍ଥାୟୀ ପୀଠ। ଭଞ୍ଜନଗର ସହରରେ ଚାରି ତାରିଖ ରାତିରୁ ଆରମ୍ଭ ହୋଇଯିବ ଠାକୁରାଣୀ ଯାତ୍ରା। ଏଥିପାଇଁ ସହରବାସୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ସହର ସାରା ପ୍ରସ୍ତୁତି ପର୍ବକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଅସ୍ଥାୟୀ ମଣ୍ଡପ, ତୋରଣ ଓ କଳାକୁଞ୍ଜ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି।

ତେବେ ଏଥର ଯାତ୍ରା ପାଇଁ ଠାକୁରାଣୀଙ୍କ ଆଗମନକୁ ଅଧିକ ଆକର୍ଷଣୀୟ କରିବାକୁ ଯାତ୍ରା କମିଟି, ଏନ୍ଏସି ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ତାହାର ଝଲକ ସହରର ମୁଖ୍ୟ ସଡ଼କରେ ଏବେ ଦେଖିବାକୁ ମିଳୁଛି। ପୁରୀ ବଡ଼ ଦାଣ୍ଡ ଢାଞ୍ଚାରେ ଭଞ୍ଜନଗର ସହରର ମୁଖ୍ୟ ରାସ୍ତାକୁ ଏବେ ଝୋଟି ଚିତାରେ ସଜ୍ଜିତ କରାଯାଉଛି। ସହରକୁ ଏହା ଏକ ଆକର୍ଷଣୀୟ ରୂପରେଖ ଦେବ। ଆଗନ୍ତୁକ, ଭକ୍ତଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିବ। ଏନ୍ଏସି ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ସମ୍ପାଦନ କରାଯାଉଥିବା ବେଳେ ନଗରପାଳ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଏହାର ତଦାରଖ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପର ପ୍ରାୟ ୧୫ ଜଣ ଶିଳ୍ପୀ ନିୟୋଜିତ ରହିଛନ୍ତି।

ଦେବୀଙ୍କ ଆଗମନୀକୁ ଅଧିକ ଆକର୍ଷଣୀୟ କରିବାକୁ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳର ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ଅଣାଯାଇ ଆତସବାଜି ପ୍ରଦର୍ଶନ କରାଯିବ। ଯାତ୍ରାରମ୍ଭ ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରୁ କୁଲାଡ଼ ରୋଡ୍ ସ୍ଥିତ ମା’ ବ୍ୟାଘ୍ର ଦେବୀଙ୍କ ବିଶ୍ରାମ ସ୍ଥଳରୁ ରୀତିନୀତି ଅନୁସାରେ ଯାତ୍ରାର ମୁଖ୍ୟ ଉଦ୍ୟୋକ୍ତା ତଥା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସ୍ବହସ୍ତରେ ମା’ଙ୍କୁ ଅସ୍ଥାୟୀ ପୀଠକୁ ଆଣିବେ। ସହରର ଇଷ୍ଟଦେବୀ ମା’ ଠାକୁରାଣୀଙ୍କୁ ସେଠାକୁ ପାଛୋଟି ଅଣାଯିବା ପରେ ବିଧିବଦ୍ଧ ଭାବେ ଉପଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଯାତ୍ରା ଆରମ୍ଭ ହେବ।

Comments are closed.