ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା ସହ ପାଣ୍ଡିଆନଙ୍କ ରହିଛି ଏକ ଭାବଗତ ସମ୍ପର୍କ

ବ୍ରହ୍ମପୁର: ଝିଅ ମା’ ଘରକୁ ବୁଲିବାକୁ ଆସିଲା ଭଳି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀ ପ୍ରତି ଦୁଇ ବର୍ଷରେ ଥରେ ଆସିଥାନ୍ତି ଦେଶୀବେହେରା ସାହିରେ ଥିବା ନିଜ ବାପ ଘରକୁ। ଆଉ ସେ ନିଜ ବାପ ଘରେ ରହିବା ଅବଧିକୁ ଅତି ଧୁମଧାମରେ ପାଳନ କରିଥାନ୍ତି ବ୍ରହ୍ମପୁରବାସୀ।

ଏହି ପ୍ରସିଦ୍ଧ ଯାତ୍ରାକୁ ସୁଚାରୁ ରୂପେ ସମାପନ କରିବା ଦିଗରେ ସ୍ଥାନୀୟ ପ୍ରଶାସନର ରହିଥାଏ ଅତି ବିଶେଷ ଭୂମିକା। ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେଉଛି ମା’ ଙ୍କ ଅତି ପ୍ରତିକ୍ଷୀତ ଯାତ୍ରା। ବର୍ତ୍ତମାନ ମା’ ଅସ୍ଥାୟୀ ମଣ୍ଡପରେ ବସି ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି ଏବଂ ଆଜି ହେଉଛି ଯାତ୍ରାର ଶେଷ ଦିନ। ରବିବାର ମା’ ଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ।

୨୦୦୭ ମସିହା ଏପ୍ରିଲ ୦୯ ତାରିଖ, ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ଵ ନିଅନ୍ତି ଯୁବ ଆଇଏଏସ୍ ଅଧିକାରୀ ଭି. କାର୍ତ୍ତିକେୟ ପାଣ୍ଡିଆନ। ପାଖାପାଖି ଠିକ୍ ଏହି ସମୟ, ମାନେ ଅପ୍ରେଲ ମାସ, ବ୍ରହ୍ମପୁରରେ ଚାଲିଥାଏ ଠାକୁରାଣୀ ଯାତ୍ରା। ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବା ପରେ ପ୍ରଥମେ କାର୍ଯ୍ୟ ଭାବେ ସେ ମା’ଙ୍କ ଯାତ୍ରାର ସୁପରିଚାଳନାରେ ନିଜକୁ ନିୟୋଜିତ କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ୨୦୦୭ ଓ ୨୦୦୯ ମସିହାରେ ଦୁଇ ଦୁଇ ଥର ମା’ ଙ୍କ ଯାତ୍ରାକୁ ସୁଚାରୁ ରୂପେ ସଂପାଦନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସେ। ହେଲେ ଜଣେ ଭକ୍ତ ଭାବେ ଗତକାଲି ସେ ମା’ ଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଅସ୍ଥାୟୀ ମଣ୍ଡପରେ ଉପସ୍ଥିତ ଥିବା ସ୍ଥାନୀୟ ଜନସାଧାରଣ ମଧ୍ୟ ତାଙ୍କ ପ୍ରିୟ ପାଣ୍ଡିଆନ ସାରଙ୍କୁ ପୁଣି ଥରେ ଦେଖି ତାଙ୍କ ସହ ଭାବ ବିନିମୟ କରିଥିଲେ। ପାଣ୍ଡିଆନ ମଧ୍ୟ ତାଙ୍କ ପ୍ରିୟ ଗଞ୍ଜାମ ତଥା ବ୍ରହ୍ମପୁରବାସୀଙ୍କ ସହ ଆଲୋଚନା କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ। ଭକ୍ତଙ୍କ ସହ କରମର୍ଦ୍ଦନ ହେଉ ବା ସେଲଫି ଉଠାଇବା ଅଥବା ଯାତ୍ରାର ଅନ୍ୟତମ ଆକର୍ଷଣ ବାଘବେଶଧାରୀଙ୍କ ଫଟୋ ଉଠା, କୌଣସି କ୍ଷେତ୍ରରେ ସେ ସାଧାରଣ ଶ୍ରଦ୍ଧାଳୁଙ୍କୁ ନିରାଶ କରି ନଥିଲେ।

ଅସ୍ଥାୟୀ ମଣ୍ଡପରେ ମା’ ଙ୍କ ଦର୍ଶନ କରିବା ସହ ସେ ବୁଢ଼ି ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିର ଗସ୍ତ କରିଥିଲେ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବୁଢ଼ି ଠାକୁରାଣୀଙ୍କ ମନ୍ଦିରକୁ ୫ଟି ରୂପାନ୍ତରଣର ସ୍ପର୍ଶ କିପରି ଅତି ଶୀଘ୍ର ଦିଆଯିବ ସେଥିପାଇଁ ସେ ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ, ମନ୍ଦିର କମିଟି ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ବୁଢ଼ି ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର। ପ୍ରତିଦିନ ଏଠାକୁ ଶହଶହ ଭକ୍ତ ଆସିଥାନ୍ତି। ତେଣୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଠାରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବାକୁ ସ୍ଥିର କରାଯାଇଥିଲା। ଏ ସମ୍ପର୍କରେ ପନ୍ଦର ଦିନରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ପାଣ୍ଡିଆନ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସମୟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା କିଛି ଅଫିସରଙ୍କ ମଧ୍ୟରୁ ପାଣ୍ଡିଆନ ଅନ୍ୟତମ। ତାଙ୍କ ସମୟରେ ସେ ଏହି ଜିଲ୍ଲାରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଯାହାକି ସେତେବେଳେ ଗଞ୍ଜାମକୁ ସାରା ଦେଶରେ ମାନ୍ୟତା ଆଣି ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ପାଣ୍ଡିଆନଙ୍କ ନିରବଚ୍ଛିନ୍ନ ଓ ନିଷ୍ଠାପର ପ୍ରୟାସ ଯୋଗୁଁ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠର ଭବ୍ୟ ନବକଳେବର ହୋଇ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।

Comments are closed.