ମହାନଦୀ ଟ୍ରିବ୍ୟୁନାଲର ଦ୍ବିତୀୟ ପର୍ଯ୍ୟାୟ ଶେଷ ଦିନରେ କେଲୋ ଡ୍ୟାମ୍ ଅନୁଧ୍ୟାନ 

ସମ୍ବଲପୁର: ମହାନଦୀ ଟ୍ରିବ୍ୟୁନାଲ ଟିମ ତାର ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆଜି ଶେଷ କରିଛି। ଆଜି ଅନ୍ତିମ ଦିନରେ ଏହି ଟିମ ଛତିଶଗଡ ରାୟଗଡ ଜିଲ୍ଲାର କେଲୋ ଡ୍ୟାମ୍ ପରିଦର୍ଶନ କରିଛି।

ଗତକାଲି କଲମା, ସାରଡିହ ଓ ମିରୋନି ବ୍ୟାରେଜ ପରିଦର୍ଶନ ପରେ ଆଜି ଥିଲା ଅନ୍ତିମ ଦିବସ। ଆଜି ରାୟଗଡ ଜିଲ୍ଲାର ତମନାର ବ୍ଲକ ଅନ୍ତର୍ଗତ କେଲୋ ଡ୍ୟାମ ପରିଦର୍ଶନରେ ଆସିଥିଲେ ଟ୍ରିବ୍ୟୁନାଲର ଦୁଇ ବିଚାରପତିଙ୍କ ସମେତ ଆସେସର୍, ଉଭୟ ରାଜ୍ୟର ଜଳସଂପଦ ବିଭାଗର ଅଧିକାରୀ, ବୈଷୟିକ ଦଳ ଏବଂ ଆଇନଜୀବୀ। ଏହି ଡ୍ୟାମ୍ ମହାନଦୀର ଏକ ପ୍ରମୁଖ ଶାଖା ହୋଇଥିବା ବେଳେ ଏହା ଛତିଶଗଡରୁ ଆସି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ୬ଟି ପଞ୍ଚାୟତ ଦେଇ ମହାନଦୀରେ ମିଶିଛି। ତେବେ ରାୟଗଡ ତମନାରରେ ଏହି ନଦୀରେ ବନ୍ଧ ବାନ୍ଧିବା ଦ୍ବାରା ଉଭୟ ରାଜ୍ୟର ତଳମୁଣ୍ଡର ଲୋକେ ଆଜକୁ ଏକ ଦଶନ୍ଧି ହେଲା ଘୋର ଜଳସଂକଟର ସମ୍ମୁଖୀନ ହୋଇଆସୁଛନ୍ତି। ଏପରିକି ଏହାର ପ୍ରତିବାଦରେ ଗତ ମାସରେ ମାସାଧିକ କାଳ ଧରି ଉଭୟ ରାଜ୍ୟର ଚାଷୀ ମିଳିତ ଭାବେ ଆନ୍ଦୋଳନ କରିଥିଲେ। ତେବେ, ଟ୍ରିବ୍ୟୁନାଲ ଗସ୍ତକୁ ଦେଖି ଏହାର ଗୋଟିଏ ଗେଟକୁ ଦୁଇଦିନ ହେଲା ଖୋଲାଯାଇଥିବା ଆଜି ଜଣାପଡିଛି। ଟ୍ରିବ୍ୟୁନାଲ ଟିମ ଏହାର ଜଳଧାରଣ କ୍ଷମତାରୁ ଆରମ୍ଭ କରି ଜଳ ପରିଚାଳନା ଏବଂ ଶିଳ୍ପ ଜଳଯୋଗାଣ ସଂକ୍ରାନ୍ତରେ ସବିଶେଷ ତଥ୍ଯ ନେଇଛନ୍ତି। ଏହାଛଡା ଟିମ ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛି। ଏହାର ପରବର୍ତ୍ତୀ ଗସ୍ତ ଓଡିଶାରେ ଚଳିତ ମାସରେ ହେବ ବୋଲି ଜଣାପଡିଛି।

Comments are closed.