ନିଜ ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ରାଇରଙ୍ଗପୁର – ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଛନ୍ତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ସକାଳ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରମୁଖ ରାଷ୍ଟ୍ରପତି ସ୍ବାଗତ କରିଥିଲେ। ଏହାପରେ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଥିଲେ । ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି। ଗୋଷାଣୀ ନୂଆଗାଁ ଯାଇ ନାବାର୍ଡ ଦ୍ୱାରା ନିର୍ମିତ ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ଏଲ ଆଣ୍ଡ୍ ଟି ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ଉଦଘାଟନ କରି ଏସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିଛନ୍ତି । ବ୍ରହ୍ମକୁମାରୀ କେନ୍ଦ୍ରରେ ନିଶାମୁକ୍ତି ଓଡିଶା କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ।

ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବେ ରାଷ୍ଟ୍ରପତି। ପରେ ବାରିପଦା ଯାଇ ସର୍କିଟ୍ ହାଉସରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ସହ ଅତିଥି ଭବନରେ ବିଶ୍ରାମ ନେବେ। ୬ ତାରିଖ ସକାଳେ ରାଷ୍ଟ୍ରପତି ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

Comments are closed.