ଝାରସୁଗୁଡ଼ାରେ ବିଜେପି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଛି : ବିଜେଡି

ଭୁବନେଶ୍ୱର- ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଥିବା ବେଳେ ପ୍ରମୁଖ ଦଳ ମଧ୍ୟରେ ଅଭିଯୋଗ- ପ୍ରତ୍ୟାଭିଯୋଗର ପର୍ବ ବି ଚାଲିଛି । ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ । ଝାରସୁଗୁଡ଼ାରେ ହିଂସାତ୍ମକ ସ୍ଥିତି ସୃଷ୍ଟି ପାଇଁ ବିଜେପିକୁ ଦାୟୀ କରି ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଜେପିର ଦୁଇଟି ଆୟୁଧ ରହିଛି । ଗୋଟିଏ ହେଲା ମିଛ ଏବଂ ଅନ୍ୟଟି ହିଂସା । ଝାରସୁଗୁଡାରେ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ଯେଉଁ ହିଂସା କରିବାରେ ସିଦ୍ଧହସ୍ତ ତାହା ଆରମ୍ଭ କରିଛି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଚାର ବେଳେ ବିଜେଡି କର୍ମୀଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପିର କର୍ମୀ । ବିଜେପୁର, ପଦ୍ମପୁରରେ ହାରିବା ଜାଣି ବିଜେପି ଯେମିତି ହିଂସା ଓ ଗଣ୍ଡଗୋଳ ଘଟାଇଥିଲା ଠିକ୍ ସେଭଳି ସ୍ଥିତି ଝାରସୁଗୁଡାରେ ଆରମ୍ଭ କରିଦେଇଛି ବୋଲି ବିଜେଡି କହିଛି । ଏଥର ଝାରସୁଗୁଡ଼ା ଉପନିର୍ବାଚନ ମଧ୍ୟ ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

Comments are closed.