ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ

ସମ୍ବଲପୁର: ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ବୈଶାଖ ପୂର୍ଣ୍ଣିମା ଅବସରରେ ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କର ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟିକ ହରିହର ପ୍ରଧାନ ବକ୍ତବ୍ୟରଖି କହିଲେ ଯେ ଯେଉଁ ବିନ୍ଦୁରୁ ଭୀମ ଭୋଇଙ୍କ ସାହିତ୍ୟ ଆରମ୍ଭ ହୋଇଛି ସେହି ବିନ୍ଦୁର ଅନ୍ୱେଷଣ ଆଜି ସମଗ୍ର ବିଶ୍ୱ କରୁଛି। ସେ ଥିଲେ ବିଶ୍ୱ ମାନବୀୟ ଚେତନାର ପ୍ରଚାରକ।ସେହି ଚେତନାକୁ ଆଜି ସାହିତ୍ଯର ମାନ ନିର୍ଦ୍ଧାରଣରେ ସର୍ବାଗ୍ରେ ରଖା ଯାଉଛି ମୁଖ୍ଯବକ୍ତା ଡ. ସୌରଭ ରଞ୍ଜନ ଖମାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ସମାଜକୁ କୌଣସି ନୂଆଁ ଦିଶା ଦେବାପାଇଁ ଭୀମ। ସବୁ ସାହିତ୍ୟିକ ଅତୀତକୁ ଦେଖି ବର୍ତ୍ତମାନକୁ ଆକଳନ କରିବା ପରେ ଭବିଷ୍ଯତର କଥା କହେ ଭୀମ ଭୋଇ ମଧ୍ୟ ତାହା କରିଛନ୍ତି।ଭୋଇଙ୍କ ଭଳି ବିଭୂତିଙ୍କ ଆବିର୍ଭାବ ହୋଇଥାଏ। ଯେଉଁ କାଳରେ ଭୀମ ଭୋଇଙ୍କ ଜନ୍ମ ସେଇ ସମୟରେ ଭାରତ ବର୍ଷରେ ଆହୁରି ବହୁତ ମହତ ବ୍ୟକ୍ତିଙ୍କ ଜନ୍ମ ହୋଇଛି। ମାତ୍ର ଭୀମ ଭୋଇଙ୍କୁ ଦୀର୍ଘ ବର୍ଷ ପରେ ମାନ୍ୟତା ମିଳିଥିଲା। କାରଣ ସେଇ ସମୟରେ ତାଙ୍କୁ ଦୃଢ ସାମାଜିକ ବାସନ୍ଦର ନିର୍ଯ୍ୟାତନା ସହ୍ୟ କରିବାକୁ ପଡିଥିଲା। ତାଙ୍କ ସାହିତ୍ୟକୁ ଉଚିତ ଭାବରେ ବୁଝିବାକୁ ହେଲେ ଆମକୁ ମଧ୍ୟ ସେପରି ସିଦ୍ଧି ଓ ସାଧନା ଆବଶ୍ୟକ। ସେଥିଲେ ବାସ୍ତବରେ ଜଣେ ମିହିମାମୟ ବ୍ୟକ୍ତିତ୍ବ।ଭୀମ ଭୋଇଙ୍କୁ ଉଚିତ ଭାବରେ ଅଧ୍ୟୟନ କରିବାର ସମୟ ଆସିଛି। ସଭା ପୂର୍ବରୁ ସାଂସ୍କୃତିକ ସମାଜର ବରିଷ୍ଠ ସଦସ୍ୟ ସମାଜସେବୀ ଓ କ୍ରୀଡା ସଙ୍ଗଠକ ବିଶ୍ୱମ୍ବର ବହିଦାରଙ୍କ ଆତ୍ମାର ସଦ୍‌ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ତ୍ରିଲୋଚନ ତ୍ରିପାଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଉପସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଦୀନବନ୍ଧୁ ପଣ୍ଡା,ଲୋକନାଥ ପାଣ୍ଡେ,ଗୋପାଲ ଗୁପ୍ତା,କମଳଲୋଚନ ପଣ୍ଡା ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.