ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ବନ୍ୟା ପାଇଁ ଆଗୁଆ ପ୍ରସ୍ତୁତ ରୁହ

ସମ୍ବଲପୁର: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟା ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଅତିରିକ୍ତ ଉନ୍ନୟନ ଅଧିକାରୀ ରମେଶ ହାଁସଦା, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକଟର ମିତାଲି ମଧୁସ୍ମିତା ଦଳାଇ , ସାଂସଦ ପ୍ରତିନିଧି ରାଧେଶ୍ୟାମ ବାରିକ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର ଇଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପୌରାଞ୍ଚଳରେ ତଳି ଅଞ୍ଚଳ ପରିଦର୍ଶନ କରି ସମସ୍ତ ନାଳନର୍ଦ୍ଦମା ଗୁଡିକୁ ପରିସ୍କାର କରି ରଖିବାକୁ କମିଶନର ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରିଙ୍ଗ ରୋଡ଼ ଡ୍ରେନ ସଫେଇ କରିବାକୁ ମଧ୍ୟ କହିଛନ୍ତି। ଦେଶୀ ଡ଼ଙ୍ଗା ସହ ଶକ୍ତିଚାଳିତ ଡ଼ଙ୍ଗା ଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଅପହଞ୍ଚ ଅଂଚଳରେ କିରାସିନି, ମହମବତୀ, ଦିଆସିଲି ଏବଂ ଶୁଖିଲାଖାଦ୍ୟ ଆଦି ମହଜୁଦ ରଖିବାକୁ ଯୋଗାଣ ବିଭାଗ କୁ ନିର୍ଦେଶ ଦିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିରୋଧ କରିବା ପାଇଁ ଗୋଟିଏ ସ୍ଥାନରେ ଜଳକୁ ଅଧିକ ଦିନ ଧରି ଜମା ନରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ କ୍ଷେତ୍ରରେ ଆଶା, ଅଙ୍ଗନୱାଡି, ସ୍ୱଂୟ ସହାୟିକା ଗୋଷ୍ଠୀ ତଥା ଏନଜିଓ ମାନଙ୍କର ସହାୟତା ନେବାକୁ କହିଛନ୍ତି। ଗୃହପାଳିତ ପଶୁପକ୍ଷୀଙ୍କ ନିମନ୍ତେ ଟୀକା ଓ ଔଷଧ ମହଜୁଦ ରଖିବା ପାଇଁ ପ୍ରାଣୀ ସମ୍ପଦ ବିଭାଗ କୁ କୁହାଯାଇଛି। ବିପର୍ଯ୍ୟୟ ସମୟରେ ବିଏସ୍ଏନ୍ଏଲ୍, ବିଦ୍ୟୁତ ବିଭାଗ, ଅଗ୍ନିଶମ, ଓଡ୍ରାଫ୍ଟ ଟିମ ସମ୍ପୂର୍ଣ ଭାବେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ବ୍ଲକ, ତହସିଲ ସ୍ତରରେ ପ୍ରଚୁର ପରିମାଣରେ ରିଲିଫ ସାମଗ୍ରୀ, ବନ୍ୟା ସମୟରେ ପ୍ରସୂତିମାନଙ୍କୁ ସ୍ଥାନାନ୍ତରଣ ଓ ଚିକିତ୍ସା ଯୋଗେଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ବାଲିବନ୍ଧା, ବିନାଖଣ୍ଡୀ, କେଉଟପଡା ପମ୍ପିଂ ଷ୍ଟେସନ୍ ସ୍ଥିତି ମଧ୍ୟ ଜିଲ୍ଲାପାଳ ପଚାରି ବୁଝିଛନ୍ତି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ଲାନ ୨୦୨୩ ଏବଂ ସହର ବିପର୍ଯ୍ୟୟ ପରିଚାଳନା ପ୍ଲାନ -୨୦୨୩ ପ୍ରସ୍ତୁତ କରିବାକୁ ଡିପିଓ, ଓସଡମା ଏବଂ କମିଶନର ଏସ୍ଏମସି କୁ କୁହାଯାଇଛି। ଅଧିକାରୀ ମାନେ ସମ୍ଭାଵ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଆଗୁଆ ପଦକ୍ଷେପ ନେବା ସହ ବନ୍ୟା ପୂର୍ବ ଓ ପରବର୍ତ୍ତୀ ପଦକ୍ଷେପ ନେଇ ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା କରିଛନ୍ତି। କୌଣସି ବିପର୍ଯ୍ୟୟ ଘଟିଲେ ତୁରନ୍ତ ମେସେଜକୁ ପାସ କରିବା ସହ ତୁରନ୍ତ ପ୍ରତିକାର କରିବା ନିତ୍ୟାନ୍ତ ଜରୁରେ ଅଟେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହାଛଡ଼ IDRN ପୋର୍ଟାଲ କୁ ଅପଡେଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ସୂଚନା ନିମନ୍ତେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସହ ଟେଲିଫୋନ ନମ୍ବର (୦୬୬୩ ୨୪୧୨୪୦୭) ବ୍ୟବସ୍ଥା କରାଯାଇଛି।

Comments are closed.