ହିଞ୍ଜିଳି ଓ ଶେରଗଡ଼ରେ ୫ଟି ସଚିବ: ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ସଚିବ ଭି .କାର୍ତ୍ତିକେୟ ପାଣ୍ଡିଆନ ହିଞ୍ଜିଳି ନିର୍ବାଚନମଣ୍ଡଳୀକୁ ମାରାଥନ୍‌ ଗସ୍ତ କରିଛନ୍ତି। ସକାଳ ସାଢ଼େ ୬ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଦିନତମାମ ତାଙ୍କର ବ୍ୟସ୍ତବହୁଳ ତଥା ବ୍ୟାପକ ସ୍ଥାନକୁ ଗସ୍ତ ସୂଚୀ ରହିଛି। ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍‌ର ବହୁ ସ୍ଥାନକୁ ଗସ୍ତ ଜାରି ରହିଛି । ଏଯାବତ୍‌ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଲେଣି। ଆହୁରି ଅନେକ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମନ୍ଦିର ଦର୍ଶନ କରୁଛନ୍ତି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଭେଟୁଛନ୍ତି। ମିଶନ୍‌ ଶକ୍ତିର କାର୍ଯ୍ୟ ପରଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିଭଳି ଆଗେଇ ଚାଲିଛି ତାହା ତଦାରଖ କରୁଛନ୍ତି ୫ଟି ସଚିବ।

ଭୋର୍‌ ୬ଟା ୩୫ରେ ହିଞ୍ଜିଳି ସହର ଉପକଣ୍ଠ ତଥା ହିଞ୍ଜିଳି ବ୍ଲକ୍‌ ଅନ୍ତର୍ଗତ ବୁରୁପଡ଼ାସ୍ଥିତ ଶ୍ୟାମଳାଇ ମନ୍ଦିର ଦର୍ଶନରୁ ଆଜିର ଗସ୍ତ ଆରମ୍ଭ କରିଥିଲେ ପାଣ୍ଡିଆନ। ପରେ ଶେରଗଡ଼ ବ୍ଲକ୍‌ର ପିତଳ ପଞ୍ଚାୟତ ଅନ୍ତର୍ଗତ ଉତ୍ତରେଶ୍ଵର ମନ୍ଦିର ଦର୍ଶନ କରି ପିତଳ ଯୁକ୍ତ ଦୁଇ କଲେଜକୁ ଯାଇଥିଲେ। ଶେରଗଡ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତକୁ ୫ଟି ସଚିବ ଗସ୍ତ କରିଛନ୍ତି। ଏହି ସମୟରେ ପିତଳ କଲେଜ, ଶେରଗଡ଼ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ ଛାତ୍ରଛାତ୍ରୀଙ୍କୁ ଭେଟି କଲେଜର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । ଶେରଗଡ଼ ଜଗନ୍ନାଥ ମନ୍ଦିର, କରଡ଼ାକଣା ଜଗନ୍ନାଥ ମନ୍ଦିର, ଅଲାରିଗଡ଼ ଜଗନ୍ନାଥ ମନ୍ଦିର ବୁଲିବା ସାଙ୍ଗକୁ ମନ୍ଦିର କମିଟି କର୍ମକର୍ତ୍ତାଙ୍କ ସହ ପୀଠର ବିକାଶ ନେଇ ଆଲୋଚନା କରିଥିଲେ। ପଞ୍ଚୁଆଣୀଘସ୍ଥିତ ତାରାତାରିଣୀ ପୀଠ, ପିତଳ ନିକଟ କରଞ୍ଜେଇ ପୀଠର ବିକାଶ ନେଇ ଆଶ୍ଵାସନା ଦେଇଛନ୍ତି ସେ।

ପିତଳ, କରଡ଼ାକଣା ଓ ଅଲାରିଗଡ଼ ଠାରେ ୫ଟି ସଚିବ ଅଞ୍ଚଳବାସୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ମିଶନ୍‌ ଶକ୍ତି ସଦସ୍ୟାଙ୍କ ସହ ଉନ୍ନୟନମୂଳକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ କରିବାକୁ ପରାମର୍ଶ ଦେଇଛନ୍ତି। ଶେରଗଡ଼ ଆଇଟିଆଇ ହେଉ ଅଥବା ଯୁକ୍ତ ଦୁଇ କିମ୍ବା ଡିଗ୍ରୀ କଲେଜ ଅଥବା ହାଇସ୍କୁଲ, ଶିକ୍ଷାନୁଷ୍ଠାନ ଗୁଡ଼ିକର ବିକାଶ ପ୍ରତି ଧ୍ୟାନ ଦିଆଯିବ ବୋଲି ଗୁରୁତ୍ବ ଦେଇଛନ୍ତି ସେ। ୫ଟି ସଚିବ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନୀଲ୍‌ କ୍ରିଷ୍ଣା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତୀ ଭାସନ୍‌, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର ପ୍ରମୁଖଙ୍କୁ ବିଭିନ୍ନ ସ୍ଥାନରେ ମହିଳାମାନେ ଫୁଲ, କରତାଳି ଓ ହୁଳହୁଳିରେ ସ୍ବାଗତ କରିଥିଲେ।

Comments are closed.