ଓଡ଼ିଶା ପ୍ରତି ବାତ୍ୟା ବିପଦ ନଥିଲେ ବି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ବର- ଓଡ଼ିଶା ପାଇଁ ସମ୍ଭାବ୍ୟ ବାତ୍ୟା ବିପଦ ନଥିଲେ ମଧ୍ୟ ଯେକୌଣସି ପରିସ୍ଥିତି ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର- ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ବତନ୍ତ୍ର ରିଲିଫ କମିଶନର -ଏସ୍‌ଆରସି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ମତ୍ସ୍ୟଜୀବୀ ଓ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ମତ୍ସ୍ୟଜୀବୀମାନଙ୍କୁ ୯ ତାରିଖଠାରୁ ଛୋଟ ଜାହାଜ, ଡଙ୍ଗା ଓ ଟ୍ରେଲର ନେଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରାଯାଇଛି।

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ପନିପରିବା, ଉଦ୍ୟାନ କୃଷି, ଅମଳ ହୋଇଥିବା ଫସଲ ତଥା ମଣ୍ଡିରେ ପଡ଼ିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଯେ କୌଣସି ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଓ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ ସୂଚନା ଦିଆଯାଇଥିଲା । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଏହି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବା ସମ୍ଭାବନା ରହିଛି ।

Comments are closed.