ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଥମିଲା ପ୍ରଚାର, ୧୦ରେ ଭୋଟ୍ ଗ୍ରହଣ ନେଇ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର – ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ । ଆଜି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଏଣେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପ୍ରେସମିଟ କରି ଉପନିର୍ବାଚନ ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବେ ବୋଲି ଅପିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ କରିଛନ୍ତି । ୧୦ ତାରିଖରେ ବହୁସଂଖ୍ୟାରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ମତଦାତାମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ଉପନିର୍ବାଚନ ପାଇଁ ମୋଟ୍ ୨୫୩ ବୁଥ୍ ପ୍ରତିଷ୍ଠା କରାଯାଇଛି । ଏଥିମଧ୍ୟରେ ୨୬ଟି ପିଙ୍କ ବୁଥ୍ ରହିଛି । ଏହିସବୁ ବୁଥର ଦାୟିତ୍ବରେ ରହିବେ ମହିଳା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଛି । ୨୬ ପିଙ୍କ ବୁଥରୁ ୨୦ଟି ଝାରସୁଗୁଡ଼ା ମ୍ୟୁନିସପାଲିଟିରେ ରହିଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ୨୫୩ଟି ବୁଥରୁ ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବାହିନୀ ନିୟୋଜିତ ହୋଇଛନ୍ତି । ସମସ୍ତ ବୁଥରେ ୧୦୧୨ ଜଣ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ଅତିରିକ୍ତ ୧୦୦ ଜଣ ପୋଲିଂ ଅଧିକାରୀଙ୍କୁ ରିଜର୍ଭ ରଖାଯାଇଛି । ୧୦୦ ପ୍ରତିଶତ ବୁଥରେ ଓ୍ବେବ କାଷ୍ଟିଙ୍ଗ ହେବ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୯୯ ବୁଥରେ ମାଇକ୍ରୋ ଅବଜରଭର ରଖାଯାଇଛି । ସକାଳ ୭ରୁ ଆରମ୍ଭ ହେବ ମତଦାନ।

Comments are closed.