ଗଜପତି ଜିଲ୍ଲାକୁ ୫ଟି ସଚିବଙ୍କ ଗସ୍ତ, ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ। ଆଜି ଅପରାହ୍ନ ପ୍ରାୟ ୪ଟାରେ ସେ ମୋହନା ମିନି ଷ୍ଟାଡିୟମରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ଥିଲେ। ବ୍ରହ୍ମପୁରରୁ ଜୟପୁରକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ଓ୍ବେ କାର୍ଯ୍ୟର ପ୍ରଗତି ଅନୁଧ୍ୟାନ କରି ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଜିରାଙ୍ଗ ଠାରେ ପହଞ୍ଚି ସେଠାକାର ବୌଦ୍ଧ ସ୍ତୁପ ନିକଟରେ ଗଜପତି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଉତ୍ତମ ପାଠ ପଢ଼ା ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ତାହାର ଲାଭ ଉଠାଇ ନିଜକୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। କଲେଜ ଛାତ୍ର ଛାତ୍ରୀଙ୍କ ସୁବିଧା ଓ ସମସ୍ୟା ମଧ୍ୟ ପଚାରି ବୁଝିଥିଲେ। ତାହାର ସମାଧାନ ପାଇଁ ଆଶ୍ଵାସନା ଦେଇଥିଲେ।

ସନ୍ଧ୍ୟାରେ ଜିରାଙ୍ଗ ଓଟିଡିସି କୋଠା ନିକଟରେ ୫ଟି ସଚିବ ସ୍ଥାନୀୟ ବିଭିନ୍ନ ସଙ୍ଗଠନ, ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି। ଅଞ୍ଚଳର ବିକାଶ ପାଇଁ ଆଉ କ’ଣ ଆବଶ୍ୟକ ତାହା ପଚାରି ବୁଝିବା ସହ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି। ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନର ବ୍ୟକ୍ତି ବିଶେଷ, ଜନ ପ୍ରତିନିଧିଙ୍କ ତରଫରୁ ସଚିବ ପାଣ୍ଡିଆନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚନ୍ଦ୍ରଗିରି ଠାରେ ରାତ୍ରିଯାପନ କରି ଆସନ୍ତାକାଲି ବିଭିନ୍ନ ବ୍ଲକ୍ ସେ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍.ଭିନୀଲ କ୍ରିଷ୍ଣା, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ଅଛନ୍ତି।

Comments are closed.