ଶ୍ରୀକ୍ଷେତ୍ରରେ ଚାଲିଥିବା ଚନ୍ଦନ ଯାତ୍ରା ଅଵସରରେ ଶ୍ରୀଜୀଉ ମାନଙ୍କ ଅନୁଷ୍ଠିତ ହେଉଥିବା ବିଭିନ୍ନ ଦିବ୍ୟ ବେଶ

ଶ୍ରୀକ୍ଷେତ୍ରରେ ଚାଲିଛି ଚନ୍ଦନ ଯାତ୍ରା । ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଜ୍ଞାମାଳ ପାଇ ଚଳନ୍ତି ବିଗ୍ରହ ବିଜେ କରୁଛନ୍ତି ନରେନ୍ଦ୍ର ସରୋବରକୁ। ୨୧ ଦିନ ଦିନଚାପ ପରେ ରାତ୍ରରେ ଅନୁଷ୍ଠିତ ହେଉଛି ରାତ୍ର ଚାପ। ଏହି ସମୟରେ ପ୍ରଭୁ ମଦନ ମୋହନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତ ମାନଙ୍କୁ। ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ଏହାର ଅନେକଗୁଡ଼ିଏ ବେଶ କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ । ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । କ୍ରମାନୁଯାୟୀ ବେଶଗୁଡ଼ିକ ହେଲା:

1. ଅକ୍ଷୟ ତୃତୀୟା: ନଟବର ବେଶ (ତ୍ରିଭଙ୍ଗ ନୃତ୍ୟରତ ଶ୍ରୀକୃଷ୍ଣ)
2. ବୈଶାଖ ଶୁକ୍ଳ ଚତୁର୍ଥୀ: ହରିଜନ୍ମ ବେଶ (ବସୁଦେବଙ୍କଦ୍ୱାରା ନଦୀପାରି ବେଶ)
3. ବୈଶାଖ ଶୁକ୍ଳ ପଞ୍ଚମୀ: ରାଜାଧିରାଜ ବେଶ (ଦ୍ୱାରକାଧୀଶ)
4. ବୈଶାଖ ଶୁକ୍ଳ ଷଷ୍ଠୀ: ଖଟଦୋଳି ବେଶ (କୁଞ୍ଜରେ ଦୋଳିଖେଳ)
5. ବୈଶାଖ ଶୁକ୍ଳ ସପ୍ତମୀ: ଗୋମତୀ କୃଷ୍ଣ ବେଶ (ବ୍ରହ୍ମଗୋପାଳ ବେଶ)
6. ବୈଶାଖ ଶୁକ୍ଳ ଅଷ୍ଟମୀ: ବତ୍ସାଚାରଣ (ଗୋଚାରଣ ଗୋପାଳ)
7. ବୈଶାଖ ଶୁକ୍ଳ ନବମୀ: ବତ୍ସାହରଣ ବେଶ (ବ୍ରହ୍ମ ବିମୋହନ ଲୀଳା)
8. ବୈଶାଖ ଶୁକ୍ଳ ଦଶମୀ: ଅଘାସୁର ବଧ ବେଶ (କୃଷ୍ଣଙ୍କଦ୍ୱାରା ଅଘାସୁର ବଧ)
9. ବୈଶାଖ ଶୁକ୍ଳ ଏକାଦଶୀ: ଚକ୍ର ନାରାୟଣ ବେଶ (ଚକ୍ରଧାରୀ କୃଷ୍ଣ)
10. ବୈଶାଖ ଶୁକ୍ଳ ଦ୍ୱାଦଶୀ: ନାବକେଳି ବେଶ (ଯମୁନା କେଳି)
11. ବୈଶାଖ ଶୁକ୍ଳ ତ୍ରୟୋଦଶୀ: ରାହାସମଣ୍ଡଳି ବେଶ (ରାସ କ୍ରୀଡା)
12. ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ: (ନୃସିଂହ ଜନ୍ମ ତିଥି)ଏହି ଦିନ ବେଶ କରାଯାଏ ନାହିଁ
13. ବୈଶାଖ ପୂର୍ଣ୍ଣିମା: କନ୍ଦର୍ପ ରଥ ବେଶ (ଗୋପାଙ୍ଗନାଙ୍କଦ୍ୱାରା ରଥାକୃତି ପରିବେଷ୍ଟିତ କୃଷ୍ଣ)
14. ବୈଶାଖ କୃଷ୍ଣ ପ୍ରତିପଦା: ଷଡ଼ଭୂଜ ଗୌରାଙ୍ଗ ବେଶ (କଳିଯୁଗ ପ୍ରେମାବତାର)
15. ବୈଶାଖ କୃଷ୍ଣ ଦ୍ୱିତୀୟା: ରଘୁନାଥ ବେଶ (କାଣ୍ଡ କୋଦଣ୍ଡଧାରୀ ଶ୍ରୀରାମ)
16. ବୈଶାଖ କୃଷ୍ଣ ତୃତୀୟା: ଗିରିପୂଜା ବେଶ (ଗୋବର୍ଦ୍ଧନ ପୂଜା )
17. ବୈଶାଖ କୃଷ୍ଣ ଚତୁର୍ଥୀ: ଗିରିଟେକା ବେଶ (ଗୋବର୍ଦ୍ଧନ ଧାରୀ)
18. ବୈଶାଖ କୃଷ୍ଣ ପଞ୍ଚମୀ: ବସ୍ତ୍ରହରଣ ବେଶ (କେଳି କଦମ୍ବ ତରୁରେ ଆରୁଢ଼ କୃଷ୍ଣଙ୍କ କର୍ତ୍ତୃକ ସ୍ନାନରତା ଗୋପୀମାନଙ୍କ ବସ୍ତ୍ରହରଣ ଲୀଳା)
19. ବୈଶାଖ କୃଷ୍ଣ ଷଷ୍ଠୀ: ଚିନ୍ତାମଣୀ କୃଷ୍ଣ ବେଶ/ ମଦନ ମୋହନ ବେଶ (ମୂରଲୀଧର)
20. ବୈଶାଖ କୃଷ୍ଣ ସପ୍ତମୀ: ଗଜ ଉଦ୍ଧାରଣ ବେଶ (ଗଜକୁ କୁମ୍ଭୀର କବଳରୁ ରକ୍ଷା କରିବା)
21. ବୈଶାଖ କୃଷ୍ଣ ଅଷ୍ଟମୀ: କୁଞ୍ଜବିହାରୀ ବେଶ (ନିକୁଞ୍ଜରେ ଦୋଳି ଖେଳା)

ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି ।

Comments are closed.