କନ୍ଧମାଳ ଜିଲ୍ଲା ଖଜୁରୀପଡାରୁ, ବାଘ ଚମଡ଼ା ଜବତ, ୨ ଗିରଫ

ଫୁଲବାଣୀ: ଖଜୁରୀପଡ଼ା ଥାନା ଅଞ୍ଚଳରୁ ଏକ ବାଘ ଚମଡ଼ା ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ବନ ବିଭାଗ। ଜବତ ଚମଡ଼ାଟି ଏକ ଚିତାବାଘର ବୋଲି ଜଣାପଡ଼ିଥିବା ବେଳେ ଏହାର ଲମ୍ବ ପ୍ରାୟ ୧୬୦ ସେଣ୍ଟିମିଟର ରହିଛି। ଗିରଫ ୨ ଜଣ ହେଲେ ଚକାପାଦ ଥାନା ପସରା ପଞ୍ଚାୟତ ପଖାଳଖିଆ ଗ୍ରାମର ଯଶୋବନ୍ତ କହଁର ଓ ଆଲୋକ କହଁର। ପୂର୍ବରୁ ଏପ୍ରିଲ୍ ମାସ ୨୩ ତାରିଖରେ ମଧ୍ୟ ଏକ ଚିତା ବାଘ ଚମଡ଼ା ଜବତ ହୋଇଥିଲା।

ଏକ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ ବାବଦରେ ସୂଚନା ପାଇ ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ ଚଢ଼ାଉ ନିର୍ଦ୍ଦେଶ ଦେଇଥିଲେ। ୧୫ ଜଣିଆ ଟିମ୍ ଖଜୁରୀପଡ଼ା ଶିଶୁ ମନ୍ଦିର ନିକଟରେ ଏହି ବାଘ ଚମଡ଼ା ବିକ୍ରି ପାଇଁ ମୂଲଚାଲ ବେଳେ ସମ୍ପୃକ୍ତ ବେପାରୀଙ୍କୁ ମାଡ଼ି ବସିଥିଲା। ବାଘଛାଲ ସମେତ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ବନ ବିଭାଗ କେସ୍ ନମ୍ବର ୨୨/୨୩-୨୪ ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Comments are closed.