ବିଏମସି ୱାର୍ଡ ନମ୍ବର ୫୮ରେ ‘ ୱାର୍ଡରେ ଦିନେ ’ କାର୍ଯ୍ୟକ୍ରମ

ଭୁବନେଶ୍ୱର – ଭୁବନେଶ୍ବର ମହାନଗର ନିଗମର ୱାର୍ଡ ନମ୍ବର ୫୮ରେ ଆଜି ଅନୁଷ୍ଠିତ ହୋଇଛି ‘ ୱାର୍ଡରେ ଦିନେ ’ କାର୍ଯ୍ୟକ୍ରମ । ସାମନ୍ତରାପୁର ସରସ୍ବତୀ ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ନମିତା ମହାପାତ୍ରଙ୍କ ସହ ବିଏମ୍‌ସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ , ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ , ଡେପୁଟି କମିଶନର ସ୍ନେହଲତା ଆଚାର୍ଯ୍ୟ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାମେଶ୍ଵରୀ ଦାସ ପ୍ରମୁଖ ଯୋଗଦେଇ ‘ ୱାର୍ଡରେ ଦିନେ ’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ଆଜିର ବୈଠକରେ ବ୍ରହ୍ମେଶ୍ଵର ମନ୍ଦିର ଓ ପ୍ରାଇଭେଟ ଅଂଚଳର ବାସିନ୍ଦା , ରତ୍ନାକର ବାଗ , ଟଙ୍କପାଣି ରୋଡ , ଚିଲ୍ଲି ପୋଖରୀ , ରାଜାରାଣୀ କଲୋନୀ , କେଦାରଗୌରୀ ଆପାର୍ଟମେଟ , ରାଧାକୃଷ୍ଣ ନଗର , ଭୁଆଶୁଣୀ ମନ୍ଦିର ଅଂଚଳ ଆଦିର ବରିଷ୍ଠ ନାଗରିକ , ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ଏସଏଚଜିର କର୍ମକର୍ତ୍ତା ଯୋଗ ଦେଇଥିଲେ । ଗୋଟିଏ ବର୍ଷରେ ୫୮ ନମ୍ବର ୱାର୍ଡରେ କ’ଣ କ’ଣ ହୋଇଛି ସେ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୱାର୍ଡର ବିଭିନ୍ନ ବର୍ଗର ନାଗରିକ ସେମାନଙ୍କର ଆବଶ୍ୟକତା ସଂପର୍କର ଜଣାଇଥିଲେ । ତେବେ ନିଜ ରାସ୍ତାକୁ ନିଜେ ପରିଷ୍କାର ରଖିବା ସହ ଓଦା ଓ ଶୁଖିଲା ବର୍ଜ୍ୟକୁ ଅଲଗା ଅଲଗା କରି ସଫେଇ ଗାଡିକୁ ଦେବା ପାଇଁ ମେୟର ସୁଲୋଚନା ଦାସ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାଛଡା ସେ ପରିମଳର ଦୁଇଟି ମନ୍ତ୍ର- ରାସ୍ତାରେ ଅଳିଆ ନ ପକାଇବା ଏବଂ ନିଜର ଅଳିଆକୁ ଓଦା ଶୁଖିଲା ଭାବେ ଅଲଗା କରି ବିଏମ୍‌ସି ସଫେଇ ଗାଡିକୁ ଦେବାକୁ ମେୟର ଅନୁରୋଧ କରିଛନ୍ତି ।

Comments are closed.