ଶୀତଳଷଷ୍ଠୀ ପୌରାଣିକ ଓ ସାଂସ୍କୃତିକ ଭାବ ବିନିମୟର ଏକ ଉତ୍ସବ

ଶୀତଳଷଷ୍ଠୀ ଏହି ନାମ ହିଁ ପରିଚୟ ଦିଏ ଏହାର ବୈଶିଷ୍ଠତା। ଶିବ ଓ ପାର୍ବତୀଙ୍କ ବିବାହ ତିଥି ଶାନ୍ତିର ବାର୍ତ୍ତା ବହନକରେ ଶୀତଳଷଷ୍ଠୀ ଉତ୍ସବ। ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟ ରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରି -ସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି। ଶୀତଳଷଷ୍ଠୀପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ,ମହାଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବ ଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁରରେ ଅନୁଷ୍ଠିତ ଶୀତଳଷଷ୍ଠୀ ଯାତ୍ରା ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବାଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଁଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା’ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀ ଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ ।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ୱେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ଦେବୀ ପାର୍ବତୀ ପିତ୍ରାଳୟ ଯାଆନ୍ତି । ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ୱଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ । ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କଠାରୁ ଅଲଗା କରିଦେଲେ ।

ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତାପାର୍ବତୀ ଗିରିରାଜ ହିମାଳୟଙ୍କଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ ।

Comments are closed.