ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ବ୍ରହ୍ମପୁର: ବ୍ରହ୍ମପୁର, ଗୋଳାବନ୍ଧ, ଭଞ୍ଜନଗର, ବୁଗୁଡ଼ା ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ଦେବଦମ୍ପତିଙ୍କ ବିବାହ ନୀତି ସମ୍ପନ୍ନ ହୋଇଛି। ଗତକାଲି ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିବା ବେଳେ ଆଜି ଶୀତଳ ଷଷ୍ଠୀ ନୀତି ପାଳନ କରାଯିବ। ଏଥିପାଇଁ ଜିଲ୍ଲାର ଛୋଟ ବଡ଼ ସମସ୍ତ ଶିବ ମନ୍ଦିରରେ ପ୍ରସ୍ତୁତି ହୋଇଛି। ସବୁ ଶୈବପୀଠକୁ ଫୁଲ, ବେଲପତ୍ର ଓ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଘଣ୍ଟ ବାଦ୍ୟ ଓ ଶଙ୍ଖ ଧ୍ବନିରେ କମ୍ପି ଉଠୁଛି ଶିବାଳୟ। ଓଁ ନମଃ ଶିବାୟ ମନ୍ତ୍ରରେ ମନ୍ଦିରର ଆଧ୍ୟାତ୍ମିକ ପରିବେଶ ମହକି ଉଠୁଛି। ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଉଠୁଛି।

ବ୍ରହ୍ମପୁରର ପ୍ରସିଦ୍ଧ ନୀଳକଣ୍ଠେଶ୍ଵର, ଉତ୍ତରେଶ୍ବର, ପାତାଳେଶ୍ବର ମନ୍ଦିର ସମେତ ବିଜିପୁରର ସ୍ବପ୍ନେଶ୍ବର ପୀଠ, ଗେଟବଜାର ଗୋକର୍ଣ୍ଣେଶ୍ବର, ପଶ୍ଚିମେଶ୍ବର, କମାପଲ୍ଲୀର ବୈଦ୍ୟନାଥେଶ୍ବର, ଚନ୍ଦ୍ରଚୁଡେଶ୍ବର, ପାତାଳେଶ୍ବର, ବାଲୁଙ୍କେଶ୍ୱର, କପିଳେଶ୍ଵର, ବ୍ରହ୍ମପୁର ସହର ଉପକଣ୍ଠ ଅଷ୍ଟଶମ୍ଭୁ ପୀଠରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ସେହିପରି ଭଞ୍ଜନଗରର ପ୍ରସିଦ୍ଧ ଶୈବପୀଠ ବେଲେଶ୍ୱର, ଲଣ୍ଡେଇସାହିସ୍ଥିତ ମନ୍ଦିର, ରାମେଶ୍ବର ମନ୍ଦିର, ବୁଗୁଡ଼ାର ଖ୍ୟାତନାମା ବୁଦ୍ଧଖୋଲ ପୀଠ, ଦିଗପହଣ୍ଡିର ପର୍ଯ୍ୟଟନ ସ୍ଥଳ ଉଜ୍ଜ୍ବଳେଶ୍ବର, ଗୋଳାବନ୍ଧର ଧବଳେଶ୍ଵର ଆଦି ଶୈବପୀଠରେ ଏହି ଆଧ୍ୟାତ୍ମିକ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ବର ପିତା ଓ କନ୍ୟା ପିତା ହୋମଯଜ୍ଞ ସହ ସମସ୍ତ ରୀତିନୀତି ବିଧି ମୁତାବକ ସମ୍ପନ୍ନ କରିଛନ୍ତି।

ସନ୍ଧ୍ୟା ଆଳତି ପରେ ଠାକୁରଙ୍କୁ ବର ବେଶରେ ବିଜେ କରାଯାଇ ନଗର ପରିକ୍ରମା କରାଯାଇ ଥିଲା। ଏହାପରେ ବାଟବରଣ ସହ ଠାକୁରଙ୍କୁ ବେଦୀକୁ ଅଣାଯାଇ ଥିଲା। ମାତା ପାର୍ବତୀଙ୍କୁ ମଧ୍ୟ ବେଦୀକୁ ଅଣାଯାଇ ବିବାହ ନୀତି ସମ୍ପନ୍ନ କରାଯାଇଥିଲା। ବାହାଘର ପରେ ଠାକୁରଙ୍କୁ ବେଢ଼ା ବୁଲାଯାଇ ଆଳତି କରାଯାଇ ଥିଲା। ଏଥିସହ ଆଜି ସନ୍ଧ୍ୟାରେ ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ବେଶ୍ ଆଡ଼ମ୍ବରରେ ପାଳନ କରାଯାଉଛି। ଏଥିସହ ହରିହର ଭେଟ ହେବ ବୋଲି ଆୟୋଜନ ଚୂଡ଼ାନ୍ତ କରାଯାଇଛି।

Comments are closed.