ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ, ବିଜ୍ଞାନରେ ୮୪ .୯୩ ଓ ବାଣିଜ୍ୟରେ ୮୧.୧୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ବର- ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ରହିଛି। ବାଣିଜ୍ୟରେ ୮୧ ଦଶମିକ ୧୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ଆଜି ଭୁବନେଶ୍ୱରର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଥିଲେ । ଛାତ୍ରଛାତ୍ରୀ ମାନେ www. orissaresults.nic.in ୱେବସାଇଟ ଓ ସାମ୍ସ ପୋର୍ଟାଲରୁ ଫଳାଫଳ ଜାଣିପାରିବେ।

ଏ ବର୍ଷ ବିଜ୍ଞାନରେ ୯୩,୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭୮,୯୩୮ ଛାତ୍ରଛାତ୍ରୀ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପାସ କରିଛନ୍ତି । ବିଜ୍ଞାନରେ ପାସ ହାର ଦୃଷ୍ଟିରୁ ନୟାଗଡ଼ ଜିଲ୍ଲା ଆଗରେ ରହିଛି । ୯୬.୪୧ ପ୍ରତିଶତ ଫଳାଫଳ ସହ ନୟାଗଡ଼ ଆଗରେ ରହିଛି । ବିଜ୍ଞାନ ବିଭାଗରେ ଗଜପତି ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୬୧ ଦଶମିକ ୫୫ ପ୍ରତିଶତ ରହିଛି।

ଯୁକ୍ତ ଦୁଇ ବାଣିଜ୍ୟରେ ଏଥର ମୋଟ ୨୪,୦୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ କରିଛନ୍ତି ୧୯,୫୩୬ ଛାତ୍ରଛାତ୍ରୀ । ବାଣିଜ୍ୟରେ ମଧ୍ୟ ପାସ ହାର ଦୃଷ୍ଟିରୁ ନୟାଗଡ଼ ଜିଲ୍ଲା ଆଗରେ ରହିଛି । ୯୩.୯ ପାସ ପ୍ରତିଶତ ସହ ନୟାଗଡ଼ ଆଗରେ ରହିଥିବା ବେଳେ ୫୫.୫୫ ପ୍ରତିଶତ ପାସ ହାର ସହ ବୌଦ୍ଧ ଜିଲ୍ଲା ସର୍ବନିମ୍ନରେ ରହିଛି।
ଜୁନ ୮ ତାରିଖ ସୁଦ୍ଧା ଯୁକ୍ତ ଦୁଇ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ ।

Comments are closed.